ଓଡ଼ିଶାଲାଇଭ୍ ବ୍ୟୁରୋ  

 

  • ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟିକାକରଣ
  • ଭିଡ ଭଡ଼ିଲେ ଅପରାହ୍ଣରେ ଟିକାକରଣ ପାଇଁ ବ୍ୟବସ୍ଥା ହେବ
  • ମାସକ ମଧ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ
  • ୩୫ଟି କେନ୍ଦ୍ରରେ ଚାଲିଛି ଟିକାକରଣ

କରୋନା ସହ ମୁକାବିଲା କରିବା ପାଇଁ ରାଜ୍ୟରେ ସୋମବାରଠାରୁ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ। ଭୁବନେଶ୍ଵରର ମୋଟ ୩୫ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଦିନ ୧ଟା ଯାଏ ଚାଲିବ। ଭିଡ ବଢ଼ିଲେ ଅପରାହ୍ଣରେ ମଧ୍ୟ ଟିକାକରଣ କରାଯିବ ବୋଲି ଭୁବନେଶ୍ଵର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ରାଜ୍ୟରେ ପିଲାଙ୍କ ଟିକାକରଣ ପାଇଁ ମୋଟ ୯୩୯ଟି ସ୍ଵତନ୍ତ୍ର କେନ୍ଦ୍ର ଖୋଲାଯାଇଛି। ସମସ୍ତ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି।

ଟିକାକରଣ ପାଇଁ ସ୍ଲଟ ବୁକ୍ କରିନଥିବା ପିଲାଙ୍କ ନିମନ୍ତେ ସିଧାଧଳଖ କେନ୍ଦ୍ରରେ ପଞ୍ଜିକରଣ କରିବାର ସୁବିଧା କରାଯାଇଛି। ଓମିକ୍ରନ ଆକ୍ରାନ୍ତଙ୍କ ଟିକାକରଣ ପାଇଁ ସ୍ଵତନ୍ତ୍ର ଓ୍ଵାର୍ଡର ବ୍ୟବସ୍ଥା କରାଯାଇଛି। ନାମପଞ୍ଜିକରଣ କରିଥିବା ପିଲାଙ୍କର ଏକ ମାସ ମଧ୍ୟରେ ପ୍ରଥମ ଡୋଜ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପରୀକ୍ଷା ଥିବାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ଟିକାକରଣ ଜାନୁଆରି ୮ତାରିଖ ପରେ କରାଯିବ। ଟିକାକରଣ କେନ୍ଦ୍ରରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଜାନୁଆରି ୧ ତାରିଖରୁ ଏଥିପାଇଁ ଉଭୟ ଅନସାଇଟ ଏବଂ ଅଫସାଇଟରେ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି।

Comment