ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ମାମଲାରେ ସୋମବାର ହାଇକୋର୍ଟ କ୍ରାଇମ୍ବ୍ରାଞ୍ଚକୁ ଏହି ଘଟଣା ସଂକ୍ରାନ୍ତ କେସ୍ ଡାଏରୀ (ସିଡି) ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାସଙ୍କ ଇଜିଲାସରେ ମାମଲାର ଶୁଣାଣି ହୋଇଥିଲା।
ଟାଟା ମୋଟର୍ସରେ ଚାକିରି କରାଇବା ନାଁରେ ଠକେଇ କରିଥିବା ଅଭିଯୋଗରେ ଶ୍ରୀ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଥିଲା। ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ମିଶି କୋଟି କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣାରେ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ରେ ଜାମିନ୍ ଆବେଦନ କରିଥିଲେ। ଗତ ମାସ ୭ ତାରିଖରେ ନିମ୍ନ ଅଦାଲତରୁ ପ୍ରଦୀପଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।