ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ ଇ-କମର୍ସ ଦୁନିଆର ସମ୍ରାଟ ଭାବେ ବେଶ୍ ଜଣାଶୁଣା ଜ୍ୟାକ୍ ମା’ କିଛିଦିନ ହେବ ଗାୟବ ଅଛନ୍ତି। ଗତ ଦୁଇ ମାସରୁ ଊର୍ଦ୍ଧ୍ଵ ସମୟ ହେବ ଜ୍ୟାକ୍‌ଙ୍କର କୌଣସି ଖୋଜ୍ ଖବର ନଥିବା ଚର୍ଚ୍ଚା ହେଉଛି। ଏପରିକି କେତେକ ଗଣମାଧ୍ୟମରେ ଖବର ଅନୁସାରେ ଚୀନ ସରକାର ଜ୍ୟାକ୍‌ଙ୍କୁ ଗିରଫ କରିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେବେ ବର୍ତ୍ତମାନ ଜ୍ୟାକ୍‌ଙ୍କ ପ୍ରକୃତ ଠିକଣା କେଉଁଠି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅକ୍ଟୋବରରୁ ଗାୟବ ଅଛନ୍ତି ଜ୍ୟାକ୍‌

୨୦୨୦ ମସିହା ଅକ୍ଟୋବର ମାସରେ ଶେଷଥର ପାଇଁ ଜ୍ୟାକ୍‌ଙ୍କ ଦେଖା ମିଳିଥିଲା। ତା ପରଠାରୁ ତାଙ୍କର କୌଣସି ଖବର ନଥିବା ଶୁଣିବାକୁ ମିଳୁଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଜ୍ୟାକ୍‌ଙ୍କ ଶେଷ ଟୁଇଟ ଅକ୍ଟୋବର ୧୦ ତାରିଖରେ ହୋଇଥିବା ଦର୍ଶାଉଛି। ପ୍ରାୟ ପ୍ରତିଦିନ ଜ୍ୟାକ୍ କିଛି ନା କିଛି ଟୁଇଟ କରିଥାନ୍ତି। କୌଣସି ଏକ ବିଷୟରେ ହେଉ କିମ୍ଵା ନିଜ କମ୍ପାନି ବିଷୟରେ, ଦୈନିକ କିଛି ଟୁଇଟ କରିଥାନ୍ତି ଜ୍ୟାକ୍। ତେଣୁ ଶେଷଥର ପାଇଁ ଅକ୍ଟୋବର ୧୦ ତାରଖରେ ତାଙ୍କର ଟୁଇଟ ପରେ ଜ୍ୟାକ୍ ଗାୟବ ରହିଥିବା ଖବରର ସତ୍ୟତା ଜଣାପଡୁଥିବା ଚର୍ଚ୍ଚା ହେଉଛି।   ସରକାର ବିରୋଧରେ କହି ଫସିଛନ୍ତି ଜ୍ୟାକ୍!

ଜ୍ୟାକ୍ ଚୀନ ସରକାର ଏବଂ ତାଙ୍କର ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଥିଲେ। ଗତ ବର୍ଷ ଅକ୍ଟୋବର ୨୪ ତାରିଖରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କକୁ ସେ ବୁଢ଼ା ଲୋକମାନଙ୍କ କ୍ଲବ୍ ବୋଲି କହିଥିଲେ। ଏଥିସହ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଅନ୍ୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଥିଲେ। ତାଙ୍କର ସେହି ମନ୍ତବ୍ୟକୁ ନେଇ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି‌ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲା। ଏହା ପରେ ଜ୍ୟାକ୍‌ଙ୍କ ଅଧୀନରେ ପରିଚାଳିତ ହେଉଥିବା ବିଭିନ୍ନ ସଂସ୍ଥା ଉପରେ ସରକାର କଟକଣା ଲଗାଇବା ଆରମ୍ଭ କରିଥିଲେ। ସେହି ଦିନଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନାହିଁ। ତେଣୁ ଜ୍ୟାକ୍‌ଙ୍କ ଗାୟବ ପଛରେ କମ୍ୟୁନିଷ୍ଟ ପାର୍ଟିର ହାତ ରହିଥିବା ଚର୍ଚ୍ଚା ହେଉଛି।ହ୍ରାସ ପାଉଛି ଜ୍ୟାକ୍‌ଙ୍କ ସମ୍ପତ୍ତି

ଜ୍ୟାକ୍ ମା’ ହେଉଛନ୍ତି ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା। ସେ କେବଳ ଚୀନ ନୁହେଁ ଏସିଆର ଅନ୍ୟତମ ପ୍ରମୁଖ ଧନୀ। କିନ୍ତୁ କିଛିଦିନ ହେବ ସେ ଚୀନର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ଵରକୁ ଖସି ଆସିଛନ୍ତି। କିଛି ମାସ ତଳେ ତାଙ୍କର ଏକ ସଂସ୍ଥା ‘ଆଣ୍ଟ୍‌ ଗ୍ରୁପ୍‌’କୁ ସେ ହଂକଂ ଆଣ୍ଡ୍‌ ସାଂଘାଇ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ୩୭୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବାକୁ ଯୋଜନା ରଖିଥିଲେ। କିନ୍ତୁ ଚୀନ ସରକାର ଏହାକୁ ଅଟକାଇ ଦେଇଥିଲେ। ତେବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ର ନିର୍ଦ୍ଦେଶରେ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି। ‘ଆଫ୍ରିକାଜ୍ ବିଜନେସ୍ ହିରୋଜ୍‌’ ନାମରେ ଜ୍ୟାକ୍ ଏକ ସୋ’ ଚଲାଉଥିଲେ। କିନ୍ତୁ ଏହାର ଶେଷ ଅଧ୍ୟାୟରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଏପରିକି ସୋ’ର ପୋର୍ଟାଲ୍‌ରୁ ତାଙ୍କ ନାମ ହଟାଇ ଦିଆଯାଇଛି। ଫଳରେ ତାଙ୍କୁ ନେଇ ଲୋକଙ୍କ ମନରେ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ଗିରଫ ହୋଇଛନ୍ତି କି ଜ୍ୟାକ୍?

ସରକାର ବିରୋଧୀ ମନ୍ତବ୍ୟ ପାଇଁ ଚୀନ ସରକାର ଜ୍ୟାକ୍‌ଙ୍କୁ ନଜରବନ୍ଦୀ କରି ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା। ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜ୍ୟାକ୍‌ଙ୍କ ସଂସ୍ଥା ବିରୋଧରେ ଚୀନରେ ତଦନ୍ତ ଚାଲିଛି। ଏପରିକି ‌ଚୀନ ବାହାରକୁ ନଯିବା ଲାଗି ତାଙ୍କୁ କୁହାଯାଇଛି। ତେଣୁ ଚୀନ ସରକାର ତାଙ୍କୁ ଗିରଫ କରି ରଖିଥିବା ଅନେକ ସନ୍ଦେହ କରୁଛନ୍ତି।

LEAVE A REPLY

Please enter your comment!
Please enter your name here