ଓଡ଼ିଶାଲାଇଭ୍ ବ୍ୟୁରୋ

ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ। ଲୋକମାନେ ଏଣିକି ୭୪୪୦୦୦୬୭୦୯ ନମ୍ବରକୁ ଫୋନ କରି ସାଇବର ଠକେଇ ବିରୋଧରେ ତୁରନ୍ତ ଅଭିଯୋଗ କରିପାରିବେ ବୋଲି ଗୁରୁବାର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଦ୍ୱୈତ ନଗରରୀରେ ସାଇବର ଅପରାଧ ରୋକିବାରେ ଏହି ହେଲ୍ପଡେସ୍କ ବେଶ ସହାୟକ ହେବ। ସ୍ପେଶାଲ ସ୍କାର୍ଡ ଅଧୀନରେ ଜଣେ ଇନସ୍ପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ନେଇ ଏହି ହେଲ୍ପ ଡେସ୍କ ନିର୍ମାଣ କରାଯାଇଛି। ଯଦି କୌଣସି ଲୋକ ଫେକ୍ ନମ୍ବରରୁ କିଛି କଲ୍ ପାଉଛନ୍ତି ତେବେ ତୁରନ୍ତ ଏନେଇ ହେଲ୍ପ ଡେସ୍କକୁ ଜଣାନ୍ତୁ। ତା’ସହିତ ଯେଉଁ ଲୋକ ସାଇବର ଠକେଇର ଶିକାର ହୋଇଛନ୍ତି ସେମାନେ ତୁରନ୍ତ ଏହି ନମ୍ବରରେ କଲ୍ କରି ଜଣାଇବାକୁ ପୋଲିସ କମିସନର କହିଛନ୍ତି।ଠକେଇ ଶିକାର ହେବାର ପ୍ରଥମ ଏକ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଲୋକ ଏପରି ଠକେଇର ଶିକାର ହୋଇଛନ୍ତି ତେବେ ଏହାର ନମ୍ବର ପୋଲିସକୁ ଦେଲେ ଏହାକୁ ପୋଲିସ ବ୍ଲକ୍ କରିପାରିବ। ଏପରି ହେଲେ ଅନ୍ୟ ଲୋକଙ୍କୁ ଅପରାଧୀ ଠକେଇ କରିପାରିବ ନାହିଁ।

ଗତ କିଛି ଦିନ ହେବ ରାଜ୍ୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଫେକ୍ କଲରୁ ତଥ୍ୟ ନେଇ ଅପରାଧୀମାନେ ଲୋକଙ୍କୁ କଳାକନା ବୁଲାଉଛନ୍ତି। ଏହାକୁ ରୋକିବାକୁ ଯାଇ ଏହି ହେଲ୍ପଡେସ୍କର ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହାର ସ୍ପେଶାଲ ସ୍କ୍ୱାର୍ଡ ଅଧୀନରେ କାମ କରିବ। ଭୁବନେଶ୍ୱରରେ ଯେତେବେଳ ସାଇବର ଥାନା ଆରମ୍ଭ ହେବ ସେତେବେଳେ ଏହା ତା’ ଅଧୀନରେ କାମ କରିବ ବୋଲି କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Comment