ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇତିହାସ ରଚିଲେ ଏୟାର ଇଣ୍ଡିଆର ୪ ମହିଳା ପାଇଲଟ। ଏମାନେ ଆମେରିକାର ସାନଫ୍ରାସିସକୋରୁ ବେଙ୍ଗାଳୁରୁ, ବିଶ୍ୱର ଦୀର୍ଘତମ ରୁଟରେ ବିମାନ ଉଡ଼ାଇ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ଅବତରଣ କରିଛନ୍ତି। ଏଭଳି ଏକ ବିରଳ କୀର୍ତ୍ତିରେ ଭାରତୀୟ ମହିଳାଙ୍କୁ ସଫଳତା ମିଳିଛି। ଏହି ମହିଳା ପାଇଲଟମାନେ କ୍ୟାପଟେନ ଜୋୟା ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ସାନଫ୍ରାସିସକୋରୁ ଉଡ଼ାଣ ଭରିଥିଲେ।

ସାନଫ୍ରାସିସକୋରୁ ବେଙ୍ଗାଳୁରୁକୁ ବିମାନ ଉଡ଼ାଇବାକୁ ଜୋୟା ଓ ତାଙ୍କ ଟିମ୍‌କୁ ଦାୟିତ୍ୱ ଦିଆଯାଇଥିଲା। ୧୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଉତ୍ତରମେରରୁ ଆଟଲାଣ୍ଟିକ ରୁଟ୍‌ ଦେଇ ଚାଲେଞ୍ଜପୂର୍ଣ୍ଣ ପରିସ୍ଥିତରେ ସେମାନେ ୧୬ ହଜାର କିଲୋମିଟରର ବିମାନ ଉଡ଼ାଇଥିଲେ। ଏହି ଟିମ୍‌ରେ ପାପାଗିରି ଥାନମାଇ, ଆକାଂକ୍ଷା ସୋନଓ୍ୱାର, ଏବଂ କ୍ୟାପଟେନ ଶିବାନୀ ସାମିଲ ଥିଲେ।

ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବା ଚାଲେଞ୍ଜପୂର୍ଣ୍ଣ। ଏଥିପାଇଁ ସବୁଠାରୁ ଭଲ ଏବଂ ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥାଏ। ହେଲେ ଏବେ ଇଣ୍ଡିଆ ଏକ ନୂଆ ପଦକ୍ଷେପ ନେଇ ମହିଳାମାନଙ୍କୁ ଏହି ଦାୟିତ୍ୱ ଦେଇିଥିଲା।

ମହିଳା ପାଇଲଟମାନଙ୍କ ଏହି ସଫଳତା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ ସେମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏହାସହିତ ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment