ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ ବିମାନ ଦୁର୍ଘଟଣାକୁ ନେଇ ଏବେ ସୁବଠି ଚର୍ଚ୍ଚା। ଦୁର୍ଘଟଣା ଯୋଗୁଁ ଦେଖୁ ଦେଖୁ ଚାଲିଗଲା ଅନେକଙ୍କ ଜୀବନ। ଏବେ ଶତାଧିକ ଲୋକ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି। ଏହି ବଡ଼ ଧରଣ ଦୁର୍ଘଟଣା ପରେ ଅନେକ କଥା ସାମ୍ନାକୁ ଆସୁଛି। ଦୁର୍ଘଟଣା କାହିଁକି ହେଲା, କ’ଣ ରନଓ୍ୱେ ଅସୁରକ୍ଷିତ ଥିଲା? ଏଭଳି ଅନେକ ପ୍ରଶ୍ନ ଉଠିଛି।

ତେବେ କୋଝିକୋଡ ବିମାନବନ୍ଦରର ରନ୍ଓ୍ଵେ ୧୦ ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞମାନେ ବହୁ ଆଗରୁ କହିଥିଲେ। ବେସାମରିକ ବିମାନ ମନ୍ତ୍ରାଳୟର ସୁରକ୍ଷା ପରାମର୍ଶଦାତା କମିଟିର ସଭ୍ୟ କ୍ୟାପଟେନ୍ ମୋହନ ରଙ୍ଗନାଥନ ଏକଥାକୁ ସ୍ୱୀକାର କରିଛନ୍ତି। ବିଶେଷଜ୍ଞମାନେ ଦୀର୍ଘ ୯ ବର୍ଷ ହେଲା ସତର୍କ କରାଇ ଆସୁଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁସାରେ ରନ୍ଓ୍ଵେ ୧୦ ହେଉଛି ଏକ ଟେବୁଲଟେପ୍ ବା ଉଚ୍ଚାଣିଆ ରନ୍ଓ୍ଵେ। ଏହାର ରନ୍ଓ୍ଵେ ଏବଂ ବଫର୍ ଜୋନ୍ ମଧ୍ୟରେ ରହିଥିବା ଦୂରତା ଯଥେଷ୍ଟ ନୁହେଁ। ଗୋଟିଏ ବିମାନବନ୍ଦରରେ ବଫର ଜୋନ୍ ୨୪୦ ମିଟର ବିଶିଷ୍ଟ ହେବାକଥା, କୋଝିକୋଡ ବିମାନବନ୍ଦରରେ ଏହା ମାତ୍ର ୯୦ ମିଟର ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ୨୦୧୧ର ବେସାମରିକ ବିମାନ ପରାମର୍ଶଦାତା କମିଟିର ଗାଇଡଲାଇନ ଅନୁଯାୟୀ ବର୍ଷା ସମୟରେ ଟେବୁଲଟପ୍ ରନ୍ଓ୍ଵେରେ କୌଣସି ପ୍ରକାର ଅପରେସନ କରାଯିବାକୁ ଅନୁମତି ନାହିଁ। ଏହା ବାଦ୍ ବି ବିମାନ ସେହି ରନଓ୍ୱେରେ ଆସିଥିଲା। ଏହି କାରଣରୁ ଦୁର୍ଘଟଣା ହୋଇଥାଇପାରେ।

ବନ୍ଦେ ଭାରତ ମିଶନରେ ୧୯୦ ପ୍ରବାସୀ ଭାରତୀୟଙ୍କୁ ଦୁବାଇରୁ ନେଇଆସୁଥିବା ଏୟାର ଇଣ୍ଡିଆର ଏକ୍ସପ୍ରେସ୍ ବିମାନ(ଆଇଏକ୍ସ-୧୩୪୪) କ୍ରାସ୍ ହୋଇ କୋଝିକୋଡ ବିମାନ ବନ୍ଦରରେ ଦୁଇଫାଳ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି।

Comment