ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ପିପିଲିବାସୀ ଦେଖିବେ ଉପ-ନିର୍ବାଚନ।

ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ନୂଆ ବିଧାୟକ? ବିଜେଡି ନିଜ ଗଡ଼ ବଞ୍ଚେଇ ରଖିବ ନା ବିରୋଧୀମାନେ ଦୁର୍ଗ ଦଖଲ କରିବେ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ପିପିଲି ରାଜନୀତି ସରଗରମ।

ମହାରଥୀଙ୍କ ମୃତ୍ୟୁକୁ ମଧ୍ୟ ଏଭିତରେ ୩ ମାସରୁ ଅଧିକ ସମୟ ପୂରିସାରିଲାଣି। ନିୟମ ମୁତାବକ ୬ ମାସ ଭିତରେ ଖାଲି ପଡ଼ିଥିବା ଆସନରେ ଉପ-ନିର୍ବାଚନ ହେବ। ଏପରି ହେଲେ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ପିପିଲିବାସୀ ଭୋଟ୍ ଦେଇ ନିଜ ନୂଆ ବିଧାୟକ ବାଛିବେ। ଏପଟେ ସବୁ ଦଳମାନେ ମଧ୍ୟ ଭୋଟରଙ୍କ ମୁଡ୍ ନିଜ ସପକ୍ଷରେ ନେବାକୁ କସରତ ଆରମ୍ଭ କରିଦେଇଛନ୍ତି।ବିଜେଡିର ଫୋକସରେ ପିପିଲି

ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡିର ପୁରୁଣା ଗଡ଼ ଭାବେ ପରିଚିତ। ଦଳ ଗଠନ ହେବା ପରଠାରୁ ଏଠାରୁ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହିଁ ଜିତି ଆସୁଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଗତ ୨୦ ବର୍ଷ ଧରି ସେଠାରୁ ନିର୍ବାଚନ ଜିତିନାହାନ୍ତି। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମଝିରେ ୫ ବର୍ଷକୁ ଛାଡ଼ି ଦେଲେ, ୧୯୮୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଦୀପ ମହାରଥୀ ଏହି ଆସନରୁ ଜିତି ଆସୁଥିଲେ। ତେଣୁ ନିଜର ପୁରୁଣା ଗଡ଼ ବଞ୍ଚାଇ ରଖିବାକୁ ବିଜେଡି ଜୋରଦାର ଚେଷ୍ଟା କରିବ।ପିପିଲିରେ ଗଡ଼ ବଞ୍ଚାଇବାକୁ ବିଜେଡି ଏଠାରେ ଅନୁକମ୍ପା କାର୍ଡ ଖେଳିପାରେ ବୋଲି କୁହାଯାଉଛି। ତିର୍ତ୍ତୋଲ ଓ ବିଜେପୁରରେ ଏହି ଫର୍ମୁଲା କାମ ଦେଇଥିବାରୁ ବିଜେଡି ସୁପ୍ରିମୋ ଏଠାରେ ପ୍ରଦୀପଙ୍କ ପତ୍ନୀ ପ୍ରତିଭା କିମ୍ବା ତାଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିପାରନ୍ତି। ଏପଟେ ମା’ କି ପୁଅ କାହାକୁ ଟିକେଟ୍ ଦିଆଯିବ ତାକୁ ନେଇ ବି ଦଳରେ କନ୍ଦଳ ଦେଖିବାକୁ ମିଳିଛି। ଡେଲାଙ୍ଗ ବ୍ଲକର କିଛି ନେତା ପ୍ରତିଭାଙ୍କୁ ପ୍ରାର୍ଥୀ କରିବାକୁ କହୁଥିବାବେଳେ ଯୁବ ଓ ଛାତ୍ର ସଙ୍ଗଠନମାନେ ତାଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ନେତା ଭାବେ ଦେଖିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ସୁପ୍ରିମୋ କାହାକୁ ଟିକେଟ୍ ଦେବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।ଏସବୁ ଭିତରେ ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଟିକେଟ୍ ରେସରେ ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବି ଆଗରେ ଅଛନ୍ତି। ତାଙ୍କ ପୈତୃକ ଘର ଡେଲାଙ୍ଗ ବ୍ଲକରେ ହୋଇଥିବାରୁ ଅରୂପ ପିପିଲି ଟିକେଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ରାଜନୀତି କରିଡରରେ ଏବେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ସେ ଦଳର ସାଂସଦ ପ୍ରାର୍ଥୀ ହୋଇସାରିଥିଲେ ବି ପରାଜୟ ଭୋଗିଛନ୍ତି। ଏପରି ସ୍ଥିତିରେ ସୁପ୍ରିମୋ ତାଙ୍କୁ ପିପିଲିରେ ଟିକେଟ୍ ଦେଇପାରନ୍ତି ବୋଲି କୁହାଯାଉଛି।

ପିପିଲି ହାତେଇବା ଲକ୍ଷ୍ୟରେ କଂଗ୍ରେସ, ବିଜେପି

ବାଲେଶ୍ୱର, ତିର୍ତ୍ତୋଲରେ ପରାଜୟ ଭୋଗିବା ପରେ ଏବେ ପିପିଲି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି। ମହାରଥୀଙ୍କ ପୂର୍ବରୁ ପିପିଲି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ତେଣୁ ନିଜ ପୁରୁଣା ଦୁର୍ଗ ଦଖଲ କରିବାକୁ କଂଗ୍ରେସ ଏଠି କସରତ କରିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦଳକୁ ସଙ୍ଗଠିତ କରିବା ସହିତ ଜଣେ ଲୋକପ୍ରିୟ ପ୍ରାର୍ଥୀ ବାଛିବାକୁ କଂଗ୍ରେସ ଗୁରୁତ୍ୱ ଦେଉଛି।୨୦୧୯ ମସିହାରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ନିର୍ବାଚନରେ ସେତେଟା ସଫଳ ହୋଇପାରିନଥିଲେ। ତାଙ୍କ ପୂର୍ବରୁ ଦଳ ଲଗାତାର ମହାରଥୀଙ୍କ ଦୃଢ଼ ବିରୋଧୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରି ଦ୍ୱିତୀୟ ସ୍ଥାନରେ ରହୁଥିଲା। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଯିବା ସହ କଂଗ୍ରେସ ତିନି ନମ୍ବରକୁ ଖସି ଆସିଥିଲା। ତେଣୁ ଉପ-ନିର୍ବାଚନରେ ଦଳ ନୂଆ ଚେହେରାକୁ ଟିକେଟ୍ ଦେଇପାରେ ବୋଲି କୁହାଯାଉଛି।

ଅନ୍ୟପଟେ ଗତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଛି। ୨୦୧୯ରେ ପ୍ରଦୀପ ଏହି ଆସନରୁ ମୋଟ ୮୮,୫୧୮ ଭୋଟ୍ ପାଇ ବିଜୟୀ ହୋଇଥିଲେ ବି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଭୋଟ ପାଇ ମହାରଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ତେଣୁ ଏହି ଆସନରେ ବିକାଶର ନାରା ଦେଇ ବିଜେପି ପିପିଲି ଅକ୍ତିଆର୍ କରିବ ବୋଲି ଆଶା ବାନ୍ଧିଛି।

Comment