ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂଆ କୃଷି ଆଇନ ଉପରେ ମଙ୍ଗଳବାର ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନେଇ ଚାଷୀ-ସରକାର ଭିତରେ ଯେଉଁ ବିବାଦ ଅଛି, ତାହାର ସମାଧାନ କରିବାକୁ କୋର୍ଟ ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଦୁଇ ପକ୍ଷ ସହ ଆଲୋଚନା କରି ବିବାଦର ସମାଧାନ କରିବ।

ସୁପ୍ରିମକୋର୍ଟଙ୍କ ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୁପେନ୍ଦ୍ର ସିଂହ ମାନଙ୍କ ସହିତ ଅନିଲ ଧନବନ୍ତ, କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ଏବଂ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାର ପ୍ରମୋଦ କେ ଯୋଶୀଙ୍କୁ ସାମିଲ କରାଯାଇଛି। ଏହି କମିଟି ଯେପର୍ଯ୍ୟନ୍ତ ଦୁଇ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ଦେଇନି, ସେପର୍ଯ୍ୟନ୍ତ କୃଷି ଆଇନ ଉପରେ ଏହି ରୋକ୍ ଜାରି ରହିବ ବୋଲି କୁହାଯାଇଛି।ଅନିଲ ଧନବନ୍ତଙ୍କ କହିବା ମୁତାବକ, ସରକାର ଚାଷୀମାନଙ୍କ ସହ ବିଚାର ବିମର୍ଶ କରି ଏହି ଆଇନରେ ସଂଶୋଧନ କରିପାରିବେ। ଏହି ଆଇନକୁ ନିଷିଦ୍ଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ନୂଆ ଆଇନ୍ ଦ୍ୱାରା ଚାଷୀମାନେ ବହୁ ସୁବିଧା ପାଇପାରିବେ ବୋଲି ସେ କହିସାରିଛନ୍ତି।

ସେହିପରି କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟୀଙ୍କ କହିବାନୁସାରେ, ଚାଷୀମାନଙ୍କୁ ଏହି ନୂଆ ଆଇନର ଫାଇଦା ମିଳିବ। ସରକାର କିନ୍ତୁ ଚାଷୀଙ୍କୁ ଏବିଷୟରେ ଠିକ୍ ଭାବେ ବୁଝାଇପାରିନାହାନ୍ତି। ସରକାରଙ୍କ ସହ ଆଲୋଚନା କରି କମିଟି ନିଜର ରିପୋର୍ଟ ଦେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚାଷୀ ଆନ୍ଦୋଳନ ଓ ନୂଆ କୃଷି ଆଇନକୁ ନେଇ ଦାଏର ହୋଇଥିବା ଅନେକ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ଅବସରରେ ସରକାର ଯଦି କୃଷି ଆଇନ ଉପରେ ରୋକ୍ ନଲଗାନ୍ତି ତେବେ ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇବେ ବୋଲି କହିଥିଲେ। ମଙ୍ଗଳବାର କୋର୍ଟ ଏସମ୍ବନ୍ଧରେ ବଡ଼ ଘୋଷଣା କରିବା ସହିତ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି।

Comment