ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ। ଗତ ଉପନିର୍ବାଚନ ବେଳେ ସେ ଶାସକ ଦଳ ବିଜେଡିରୁ ବିଦା ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ଵନ କରିଥିଲେ।

ବିଜେଡିରୁ କୋଣଠେସା ଖାଇବାର ୨ ମାସ ପରେ ଜୀବନ ପୁଣି ପଦ୍ମର ହାତ ଧରିଛନ୍ତି। ଗୁରବାର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜୀବନ ବିଜେପିକୁ ଫେରିଛନ୍ତି।

“ପୁଣି ଥରେ ଘରକୁ ଫେରିଥିବାରୁ ମୁଁ ଖୁସି ଅଛି। କୌଣସି ସର୍ତ୍ତ ନ ରଖି ଦଳରେ ଯୋଗ ଦେଇଛି”, କହିଛନ୍ତି ଜୀବନ ପ୍ରଦୀପ ଦାଶ।ବାଲେଶ୍ୱର ଉପ ନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ଜୀବନଙ୍କୁ ନିଲମ୍ଵନ କରାଯାଇଥିଲା। ନିଲମ୍ବିତ ହେବାର ଗୋଟିଏ ଦିନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ସେତେବେଳେ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦିଆଯିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଥିଲେ। ବିଜେଡିରୁ ବିଦା ହେବା ପରେ ସେ ବିଜେପିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା।

ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦରରୁ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ବିଧାୟକ ହୋଇଥିଲେ। ସେତେବେଳେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ। ଏହାପରେ ସେ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ଜିତାପଟ୍ ହାତେଇ ଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ, ଜୀବନଙ୍କୁ ହରାଇଥିଲେ।

Comment