ଓଡ଼ିଶାଲାଇଭ୍‌ ବ୍ୟୁରୋ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାକୁ ୩ ଦିନ ବିତିଥିଲେ ବି ଝରାଫୁଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ମୟୁରଭଞ୍ଜର ଝିଅ ଝରାଫୁଲ ଭୁବନେଶ୍ୱର ଆସିବା ଓ ଯାଜପୁରରେ ତା’ର ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ସସପେନ୍ସରେ ପକାଇଛି। ଯାଜପୁର କୁଆଖିଆ ପୋଲିସ ଓ କମିସନରେଟ ପୋଲିସ ମିଳିତ ଭାବେ ଏହି ଅଡ଼ୁଆ ସୂତାକୁ ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଝରାଫୁଲଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଉଛି। କାରଣ ଝରାଫୁଲଙ୍କୁ ସ୍କୁଟିରେ ନେଇଯାଉଥିବା ବେଳେ ଯେଉଁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ସେଥିରେ ପଛରେ ବସିଥିବା ଯୁବକ ଜଣକ ଝରାଫୁଲଙ୍କ ବୟଫ୍ରେଣ୍ଡ ବୋଲି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ କହିଛନ୍ତି।

ଜନ୍ମଦିନ ପାଳିବାକୁ ଭୁବନେଶ୍ୱର ଆସିଥିଲେ ଝରାଫୁଲ

ଜାନୁଆରି ୨୪ ତାରିଖରେ ମୟୂରଭଞ୍ଜରୁ ଭୁବନେଶ୍ୱର ଆସିଥିଲେ ଝରାଫୁଲ। ତାଙ୍କର ଜଣେ ଶିକ୍ଷକ ଚକ୍ରଧର ବେହେରାଙ୍କ ଝିଅ ଜନ୍ମଦିନରେ ଯୋଗ ଦେବାକୁ ଆସିଥିଲେ। ତାଙ୍କ ଘରେ ଦୁଇ ଦିନ ରହିଥିଲେ ଝରାଫୁଲ। ଜନ୍ମଦିନ ପାର୍ଟି ସାରି ଜାନୁଆରି ୨୬ରେ ମୟୁରଭଞ୍ଜ ଯିବାକୁ ବାହାରିଥିଲେ। ଚକ୍ରଧର ତାଙ୍କୁ ଜୟଦେବ ବିହାରରେ ବସରେ ବସାଇଥିଲେ। ହେଲେ ଝରାଫୁଲ ବାଣୀବିହାର ନିକଟରେ ବସରୁ ଓହ୍ଲାଇ ପଡ଼ିଥିଲେ। ଏହିଠାରୁ ଓହ୍ଲାଇ ସେ ତାଙ୍କ ବୟଫ୍ରେଣ୍ଡ ରାକେଶକୁ ଭେଟିଥିବା ଜଣାପଡ଼ିଛି।

କିଏ ରାକେଶ ସ୍ୱାଇଁ?

ରାକେଶର ଘର ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ। ସେ ଜଣେ ପାଇପ ମିସ୍ତ୍ରୀ ଭାବେ କାମ କରେ। ମୟୂରଭଞ୍ଜର ଯଶିପୁର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍‌ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ୱର ଆସୁଥିଲେ ରାକେଶ ଖୁଲମଖୁଲା ମିଳାମିଶା କରୁଥିଲେ।

ରା‌କେଶ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ୱର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତି ବିତାଇଥିଲେ। ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା। ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ। ତେବେ ରାକେଶ ଏହି ବୟାନରୁ କିଛି ସ୍ପଷ୍ଟ ଚିତ୍ର ପାଇନି ପୋଲିସ। ତେଣୁ ଏଆରଫିଲ୍‌ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି।

ସହଯୋଗୀ ଜଣକ କିଏ?

ସହଯୋଗୀ ଜଣକ ହେଉଛି ରାକେଶର ସାଙ୍ଗ ଶେଖର। ହୋଟେଲ ରୁମ୍‌ରେ ଛରାଫୁଲଙ୍କୁ ଅଚେତ ଦେଖି ରାକେଶ ସାହାଯ୍ୟ ପାଇଁ ଶେଖରକୁ ଡାକିଥିଲା। ଶେଖର ସାଙ୍ଗକୁ ସାହାଯ୍ୟ କରିବା ପାଇଁ ଆସିଥିଲେ। ଉଭୟ ସ୍କୁଟିରେ ଝରାଫୁଲଙ୍କୁ ବସାଇ ନେଇ ଯାଜପୁରରେ ଫିଙ୍ଗି ଦେଇଥିଲେ। ଏବେ ଶେଖର ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଛାନଭିନ ଚଳାଇଛି ପୋଲିସ।

ଯାଜପୁର ଗଲେ ମହିଳା କମିସନ ଅଧ୍ୟକ୍ଷା

ଘଟଣାରେ କୁଆଖିଆ ପୋଲିସ, କମିସନରେଟ ପୋଲିସ ତଦନ୍ତ ଜାରି ରଖିଥିଲା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ମହିଳା କମସନ ଅଧ୍ୟକ୍ଷା। ଘଟଣାର ଅନୁଧ୍ୟାନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା । ମୃତଦେହ ଫିଙ୍ଗାଯାଇଥିବା ସ୍ଥାନ ଦେଖିବା ସହିତ ମହିଳା କମିସନ ଅଧ୍ୟକ୍ଷା ଏସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି।

କିନ୍ତୁ ଏହି ଘଟଣାକୁ ନେଇ ଏବେବି ଅନେକ ପ୍ରଶ୍ନ ରହିଛି। କାରଣ କାହିଁକି ରାକେଶ ଝରାଫୁଲଙ୍କ ମୃତଦେହକୁ ଯାଜପୁର ନେଇଗଲା, ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏହାର ଉତ୍ତର କାହାପାଖରେ ନାହିଁ। ତେବେ ଖୁବଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ।

Comment