ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଟିକାକରଣକୁ ନେଇ ନିଜ କଥା ବଦଳାଇଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

କଟକରେ ସ୍ଵାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ଟିକା ନ ନେଲେ ସେମାନଙ୍କର ଦରମା କଟାଯିବ…। ଟିକାକରଣକୁ ନେଇ ଶୁକ୍ରବାର ଏପରି କହି କଟକ ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିଥିଲେ। ଜିଲ୍ଲାପାଳଙ୍କ ଏହି କଡ଼ା ଆଭିମୁଖ୍ୟକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏଥିସହ ଟିକାକରଣକୁ ସରକାର ସ୍ଵେଚ୍ଛାକୃତ କରିଥିବା ବେଳେ ଜିଲ୍ଲାପଳ କେଉଁ ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ। ତେବେ ବିଭିନ୍ନ ମହଲରେ ଏନେଇ ସମାଲୋଚନା ପରେ ଶନିବାର କଟକ ଜିଲ୍ଲାପାଳ ନିଜ ମନ୍ତବ୍ୟ ବଦଳାଇଛନ୍ତି।

“ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଇବା ପାଇଁ ଏପରି କୁହାଯାଇଥିଲା। ତା ପରେ ଆଲୋଚନା କରି ପରିବର୍ତ୍ତନ କରାଯାଇଛି। ଟିମ୍ ବନାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଟିକା ନେବା ପାଇଁ କେହି ବାଧ୍ୟ ନୁହେଁ। କିନ୍ତୁ ସ୍ଵେଚ୍ଛାକୃତ ଭାବରେ ଏବଂ ଠିକ୍ ସମୟ ମଧ୍ୟରେ ଟିକା ନେବାକୁ ଆହ୍ଵାନ ଦିଆଯାଉଛି”, କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକେ ଆଜି କାଲି କହି ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହା ଫଳରେ ଟିକାକରଣ ପାଇଁ ଆସିଥିବା ଟିକାର ନିର୍ଦ୍ଧାରିତ ସମୟ ପରେ ନଷ୍ଟ ହୋଇଯାଉଛି। ଏହାଦ୍ଵାରା ସରକାରଙ୍କର କ୍ଷତି ହେବା ସହ ଆମର ବି କ୍ଷତି ହେଉଛି। ତେଣୁ ପର୍ଯ୍ୟାୟ ଅନୁସାରେ ଯାହା ପାଇଁ ଯେଉଁଦିନ ଧାର୍ଯ୍ୟ ହୋଇଛି ସେହି ତାରିଖରେ ଟିକା ନେଇ କରୋନା ବିରୋଧରେ ହୋଇଥିବା ଏହି ଟିକାକରଣକୁ ସଫଳ କରନ୍ତୁ।

Comment