ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା ଧାନମଣ୍ଡିରେ ୧୫୦ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ। ଗରିବ ଆଦିବାସୀ ଚାଷୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ନାମରେ ଜାଲ ମଣ୍ଡିକାର୍ଡ, ବ୍ୟାଙ୍କ ପାସବୁକ ଆଦି ତିଆରି କରି ସେମାନଙ୍କ ନାମରେ ଧାନ କିଣାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଫଳରେ ପ୍ରକୃତ ଚାଷୀମାନେ ଧାନ ବିକିବାକୁ ମଣ୍ଡିକୁ ଆସିଲେ ପୂର୍ବରୁ ସେମାନଙ୍କ ଧାନ କିଣା ସରିଥିବା କୁହାଯାଇ ସେମାନଙ୍କୁ ଫେରାଇ ଦିଆଯାଉଛି।

ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ମଣ୍ଡିରେ ୧୮,୫୦୦ କ୍ୱିଣ୍ଟାଲ ଧାନ ଜାଲିଆତି କରି କିଣାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତ କଂଗ୍ରେସ ସାଂସଦ ପ୍ରଦୀପ ମାଝି। ଏଭଳି ଭାବେ ସାରା ଜିଲ୍ଲାରେ ୧୫୦ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ସେ କହିଛନ୍ତି। ଧାନ କିଣିବା ପାଇଁ ରାଜସ୍ଵ ଅଧିକାରୀମାନେ ଜାଲ ଜମିପଟ୍ଟା ପ୍ରସ୍ତୁତ କରୁଥିବା ବେଳେ ବ୍ୟାଙ୍କ କର୍ମଚାରୀମାନେ ଜାଲ ପାସବୁକ ତିଆରି କରି ଚାଷୀମାନଙ୍କୁ ଲୁଟୁଛନ୍ତି। ସେହିପରି ଜାଲ ମଣ୍ଡିକାର୍ଡ ପଞ୍ଜୀକରଣରେ ଲ୍ୟାମ୍ପ କର୍ମଚାରୀ, ଯୋଗାଣ ବିଭାଗ ଓ ଆରଏମସି ବିଭାଗର କର୍ମଚାରୀ ମିଳିତଭାବେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ତେଣୁ ଦୁର୍ନୀତିରେ ସଂପୃକ୍ତ ଥିବା ଏହି ସମସ୍ତ କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି।ଯଦି ଆଗାମୀ ୧୫ ଦିନ ମଧ୍ୟରେ ଏ ସମସ୍ତଙ୍କୁ ଗିରଫ କରା ନ ଯାଏ ତେବେ ଜିଲ୍ଲା କଂଗ୍ରେସ ତରଫରୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି। ଏହାସହ ଏକ୍ସିସ ବ୍ୟାଙ୍କରେ ଚାଷୀଙ୍କ ନାମରେ ଜାଲ ପାସବୁକ ଓ ଏଟିଏମ କାର୍ଡ ତିଆରି କରାଯାଇଥିବାରୁ ଏ ସବୁରେ ଜଡିତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରଦୀପ ମାଝି।

ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ଵରେ ଆୟୋଜିତ ଏହି ସାମ୍ଵାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ନଗର ସଭାପତି ଲାଲୁ ତ୍ରିପାଠୀ, ମିଟୁ ପାତ୍ର, ବୃନ୍ଦାବନ ତ୍ରିପାଠୀ, ପରୀ ସାହୁ, ବାସୁ ପଟ୍ଟନାୟକ, ଚନ୍ଦ୍ର ମଲ୍ଲିକ, ଖେମରାଜ ବାଘ ଏବଂ ଚାନ୍ଦାହାଣ୍ଡି ବ୍ଲକର ୩୦ରୁ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Comment