ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ହୋଇଥିଲା ବେଳେ ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ’ ବଳବତ୍ତର ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ମୁହଁ ଖୋଲିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟର ଜରିଆରେ କହିଛନ୍ତି।

ଏହାସହିତ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ନବୀନ ଅପିଲ କରିଛନ୍ତି।

‘‘ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ର ଏଜେନ୍ସି ରାଜ୍ୟକୁ ବିଶ୍ୱାସକୁ ନିଅନ୍ତୁ। କାରଣ ଏହା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗ ସହିତ ଜଡ଼ିତ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

 ଶ୍ରୀମନ୍ଦିର ପାଇଁ ବାଇ ଲ’ ହଟିଛି। ମାତ୍ର ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ବନ୍ଦିର ପାଇଁ ଏହି କଟକଣା ବଳବତ୍ତର ରହିଛି। ଏହି ଲ’ ବଳବତ୍ତର ରହିଲେ ଉଭୟ ମନ୍ଦିରର ୩୦୦ ମିଟର ପରିଧି ଭିତରେ ଲୋକେ ହଇରାଣ ହେବେ। ଏପଟେ ଅନନ୍ତ ବାସୁଦେବ ମନ୍ଦିରର ୩୦୦ ମିଟର କଟକଣା ଭିତରେ ଅଟକିଯିବ ଏକାମ୍ର କ୍ଷେତ୍ର ଯୋଜନା।

ଲିଙ୍ଗରାଜ ଚାରିପଟେ ଚାଲିଥିବା ପ୍ରକଳ୍ପ କାମ ମଧ୍ୟ ହୋଇପାରିବ ନାହିଁ। ଏହାସହିତ ଲିଙ୍ଗରାଜଙ୍କ ନୀତି ଓ ସେବାୟତଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ତେଣୁ ଏହି ଲ’କୁ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାଇ-ଲ’ କ’ଣ?

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଦ୍ଵାରା ଦେଶର ବିଭିନ୍ନ ମନ୍ଦିର ପାଇଁ ଲାଗୁ କରାଯାଉଥିବା ଆଇନକୁ ବାଇ-ଲ’ ବା ଅଧିନିୟମ କୁହାଯାଏ। ଏହି ଆଇନ ଲାଗୁ ହେବା ଦ୍ଵାରା ସଂପୃକ୍ତ ମନ୍ଦିର ଚତୁଃପାର୍ଶ୍ଵରେ ୧୦୦ ମିଟର ପରିମିତି ଅଞ୍ଚଳ ମଧ୍ୟରେ କୌଣସି ଘର, ଦୋକାନ ରହିପାରିବ ନାହିଁ। ଏଥିସହ ମନ୍ଦିର ଚତୁଃପାର୍ଶ୍ଵର ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ କିଛି ବି ବିକାଶ କାର୍ଯ୍ୟ ଯେପରି କି ବ୍ୟବସାୟିକ ନିର୍ମାଣ ଖନନ କରାଯିବା, ଘର ନିର୍ମାଣ ଆଦି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ମୋଟାମୋଟି ଉପରେ କହିଲେ ଏହି ଐତିହ୍ୟ ସୁରକ୍ଷା ଆଇନ ମନ୍ଦିର ଚାରି ପାଖରେ ରହୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ କଠୋର ହେବ।

Comment