ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଶିଶୁ ସମାଜସେବୀ ଅଭିଷେକ ସାହୁ, ଗରିବ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ‘ରୁଟି ବ୍ୟାଙ୍କ’।

(କଟକରୁ ବିଶ୍ଵଜିତ ସାହୁ): ଯଦି ଆପଣଙ୍କ ଘରେ ରୁଟି ବଳି ପଡୁଛି, ତେବେ ତାକୁ ଫୋପାଡନ୍ତୁ ନାହିଁ। ଆପଣଙ୍କ ବଳକା ରୁଟି କେହି ଭୋକିଲା ପେଟର ଭୋକ ମେଣ୍ଟାଇ ପାରିବ। ଏପରି ଏକ ନିଆରା ଉଦ୍ଦେଶ୍ୟ ନେଇ କଟକର ଶିଶୁ ସମାଜସେବୀ ଅଭିଷେକ ସାହୁ ଆରମ୍ଭ କରିଛନ୍ତି ରୁଟି ବ୍ୟାଙ୍କ।

କଟକ ସହରର ଗଳି, ମହଲାରୁ ବଳକା ରୁଟି ସଂଗ୍ରହ କରି ରାସ୍ତା କଡ଼ର ଭୋକିଲା ଲୋକଙ୍କୁ ବାଣ୍ଟୁଛନ୍ତି ଅଭିଷେକ। ବାପା ଆଲୋକ ରଞ୍ଜନ ସାହୁଙ୍କ ସାହାଯ୍ୟରେ ଅଭିଷେକ ଏହି ମହତ କାମ ଆରମ୍ଭ କରିଥିବା ବେଳେ ଏବେ କେତେକ ଏନଜିଓ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଏନଜିଓ ସାହାଯ୍ୟରେ ସହରର ବିଭିନ୍ନ ସ୍ଥାନରୁ ରୁଟି ବ୍ୟାଙ୍କ ଜରିଆରେ ରୁଟି ସଂଗ୍ରହ କରାଯାଉଛି।

ସୋସିଆଲ ମିଡିଆ ପେଜରୁ ରୁଟି ବ୍ୟାଙ୍କ ବିଷୟରେ ଜାଣି ଲୋକମାନେ ସହରର ବିଭିନ୍ନ ଛକରେ ରଖାଯାଇଥିବା ରୁଟି ବ୍ୟାଙ୍କରେ ରୁଟି ଜମା କରୁଛନ୍ତି। ଏଥିପାଇଁ ଏକ ମୋବାଇଲ ନମ୍ଵର ମଧ୍ୟ ଜାରି କରାଯାଇଛି। ଯେଉଁମାନେ ରୁଟି ଦେବାକୁ ଇଚ୍ଛୁକ ଅଛନ୍ତି ସେମାନେ ୯୩୩୭୬୨୬୬୧୧ ନମ୍ଵରକୁ ଯୋଗାଯୋଗ କରି ରୁଟି ଦେଇ ପାରୁଛନ୍ତି।“ଦିନେ ବାପାଙ୍କ ସହ ରାତିରେ ଘରକୁ ଆସୁଥିଲା ବେଳେ ରାସ୍ତା କଡ଼ରେ କିଛି ଲୋକ ଶୋଇଥିବାର ଦେଖିଲି। ଖାଇଛ କି ନାହିଁ ଯାଇ ପଚାରିବାରୁ ସେମାନେ କିଛି ଖାଇ ନ ଥିବା ଜାଣିଲି। ସେହିଦିନଠାରୁ ସେମାନଙ୍କ ପାଇଁ କିଛି କରିବି ବୋଲି ମନକୁ ଆସିଲା। ତା’ ପରେ ବାପା ଆଉ ମୁଁ ମିଶି ‘ରୁଟି ବ୍ୟାଙ୍କ’ ଆରମ୍ଭ ପାଇଁ ଯୋଜନା କଲୁ”, କହିଛନ୍ତି ଅଭିଷେକ ସାହୁ।

କଟକ ସହରର ବିଭିନ୍ନ ସ୍ଥାନରୁ ରୁଟି ବ୍ୟାଙ୍କ ଯୋଗେ ପ୍ରତିଦିନ ଯେଉଁ ରୁଟି ସଂଗ୍ରହ କରାଯାଏ ସେ ମଧ୍ୟରୁ ଭଲ ଥିବା ରୁଟିକୁ ସ୍ଵତନ୍ତ୍ରଭାବେ ପ୍ୟାକ୍ କରାଯାଇ ରାସ୍ତା କଡ଼ର ଗରିବ ଲୋକମାନଙ୍କୁ ବଣ୍ଟା ଯାଉଛି। ସେହିପରି ଖରାପ କିମ୍ଵା ବଳକା ପଡ଼ିଥିବା ରୁଟିଗୁଡ଼ିକୁ ରାସ୍ତାରେ ବୁଲୁଥିବା ଗାଈ, କୁକୁର ଆଦିଙ୍କୁ ଦିଆଯାଉଛି।

କଟକ ବାଦାମବାଡ଼ି ବିକାଶ ନଗରର ବାସିନ୍ଦା ହେଉଛନ୍ତି ଅଭିଷେକ ସାହୁ। ବାପା ଆଲୋକ ରଞ୍ଜନ ସାହୁ, ମା’ ସସ୍ମିତା ସାହୁ ଏବଂ ସାନଭାଇକୁ ନେଇ ଅଭିଷେକଙ୍କ ଛୋଟିଆ ପରିବାର। ଅଭିଷେକଙ୍କ ବୟସ ଏବେ ୧୨ ବର୍ଷ। ସେ ଏସସିବି ମେଡିକାଲ ପବ୍ଲିକ ସ୍କୁଲରେ ଷ୍ଟାଣ୍ଡାର୍ଡ ୮ରେ ପାଠ ପଢୁଛନ୍ତି।ଶିଶୁ ସମାଜସେବୀ ଅଭିଷେକ

ଓଡ଼ିଶାର କିଡ୍ ଡ୍ରମର ଭାବେ ଅଭିଷେକଙ୍କ ଅନେକ ପରିଚିତି ରହିଛି। ମାତ୍ର ୩ ବର୍ଷ ବୟସରୁ ଡ୍ରମ୍ ବଜାଇବା ଆରମ୍ଭ କରିଥିଲେ ଅଭିଷେକ। ଓଡ଼ିଶା ସହ ରାଜ୍ୟ ବାହାରେ ଏତେ ଛୋଟ ବୟସରେ ଡ୍ରମ୍ ବଜାଇବାର ନିଜ ନିଆରା କଳାରେ ସମସ୍ତଙ୍କୁ ଚକିତ କରିଛନ୍ତି ଅଭିଷେକ। ସମାଜସେବା କ୍ଷେତ୍ରରେ ଅଭିଷେକ ଅନେକ ଉଦାହରଣମାନ ସୃଷ୍ଟି କରିଛନ୍ତି।

ଅଭିଷେକ ବିଭିନ୍ନ କଲେଜ, ବିଶ୍ଵବିଦ୍ୟାଳୟ ଆଦିରେ ଡ୍ରମ୍ ବଜାଇ ଯାହା ପାରିଶ୍ରମିକ ପାଆନ୍ତି, ସେ ସବୁକୁ ଗରିବ ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରନ୍ତି। କଟକର ବିଭିନ୍ନ ସାହି, ବସ୍ତି ଆଦିରେ ନିଜ ବୟସର ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦିଅନ୍ତି ଅଭିଷେକ।

ଏପରିକି ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଦୁଇଟି ପିଲାଙ୍କର ପାଠ ପଢ଼ାର ଭାର ଅଭିଷେକ ଉଠାଇଛନ୍ତି। ଏତେ ଛୋଟବେଳୁ ସମାଜ ପ୍ରତି ଏପରି ମହାନ୍ କାମ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଦି ନେତାମାନେ ମଧ୍ୟ ଅଭିଷେକଙ୍କୁ ପ୍ରଶଂସା କରିଥିଲେ।

Comment