ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟ କାରିଣୀ ସଭାପତି ପ୍ରଦୀପ ମାଝି ଏବଂ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସାରା ନବରଙ୍ଗପୁର ଜିଲ୍ଲାରେ ଦୋକାନ ବଜାର ବନ୍ଦ ସହିତ ରାସ୍ତାରୋକ କରିଥିଲେ।

ସୋମବାର ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ସହରର ମୁଖ୍ୟ ରାସ୍ତାଗୁଡିକରେ ରାସ୍ତା ଅବରୋଧ କରି ଯାନବାହାନ ଚଳାଚଳକୁ ସଂମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଦୋକାନ ବଜାର ଆଦି ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଥିଲା।

ବନ୍ଦକୁ ଆଖିରେ ରଖି ପୋଲିସ ପକ୍ଷରୁ ମୁଖ୍ୟ ଛକଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆଜିର ଏହି ବନ୍ଦ ଡ଼ାକରାରେ ଯାତାୟାତ କରୁଥିବା ସମସ୍ତ ଆମ୍ବୁଲାନ୍ସ, ବିବାହ ଗାଡି ଏବଂ ଗାଡିରେ ହସ୍ପିଟାଲକୁ ଯିବା ଆସିବା କରୁଥିବା ଗାଡି ମୋଟର ସବୁକୁ ଛଡା ଯାଉଥିବା ଦେଖିବାକୁ ମିଳିଥିଲା।

ଆଜିର ଏହି ବନ୍ଦ ଡାକରାରେ ପିସିସି କାର୍ଯ୍ୟ କରିଣୀ ସଭାପତି ପ୍ରଦୀପ ମାଝିଙ୍କ ସମେତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ନଗର କଂଗ୍ରେସ ସଭାପତି ଲାଲୁ ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଭୀମ ହରିଜନ, ଅଖିଳ ଭତ୍ରା, ପରୀ ସାହୁ, କୁନା ପାଢ଼ୀ, ଅବଦୁଲ ଫିରୋଜ, ତାଜ ଇମ୍ରାନ, ବାସୁ ପଟ୍ଟନାୟକ, ସୁମିତ ପୂଜାରୀ ଏବଂ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Comment