ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହି ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ ଦଳର ସଦସ୍ୟ ଉପସ୍ଥିତ ଥିଲେ । କରୋନା କାଳରେ ବଜେଟ ଅଧିଶେନ କିପରି ଚାଲିବ, ତାହା ଥିଲା ବୈଠକର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆସନ୍ତା ଫେବ୍ରୁଆରି ୨୨ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

୨୦୨୦ ବର୍ଷରେ ହୋଇଥିବା ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ନଥିବାବେଳେ, ଚଳିତ ବଜେଟ ଅଧିବେଶନରେ ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ସର୍ବଦଳୀୟ ବୈଠକରେ ବାଚସ୍ପତି ଏନେଇ ସୂଚନା ଦେଇଛନ୍ତି । ଦୈନିକ ଦୁଇଟି ଅଧିବେଶନରେ ବିଧାନସଭା ଚାଲିବ । ଦିନ ୧୦.୩୦ରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ । ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ବିଧାନସଭା ଅଧିବେଶନ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ । ସ୍ଥିତି ସମୀକ୍ଷା ପରେ ପୋଲିସ କମିଶନର କହିଛନ୍ତି, ବିଧାନସଭା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯିବ । ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପୂର୍ବ ଅଧିବେଶନ ଚାଲିଥିବା ସମୟରେ କିଛି ଲୋକ ଆତ୍ମାହୂତୀ ଉଦ୍ୟମ କରିଥିଲେ । ତେଣୁ ସେହି ଦିଗକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ସଜାଗ ରହିବା ସହ ବିଧାନସଭାର ଆଖପାଖ କିଛି ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯିବ ।

Comment