ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଲୋକେ ବେଶ୍ ଖୁଲମଖୁଲା ବୁଲୁଛନ୍ତି; ଆଉ ଲୋକଙ୍କର କଟକଣାକୁ ଭୟ ନାହିଁ। ଏମିତିକି ନା କାହା ମୁହଁରେ ମାସ୍କ ଅଛି, ନା ସାମାଜିକ ଦୂରତା ଦେଖିବାକୁ ମିଳୁଛି। କିନ୍ତୁ ସାବଧାନ, କାରଣ ଦେଶରେ ପୁଣି କାୟା ବିସ୍ତାରୁଛି ମହମାରୀ କରୋନା। ନଭେମ୍ବର ମାସ ପରେ ଏବେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତର ୪ ଦିନ ହେଲା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି।
ଫେବ୍ରୁଆରି ୧୫ରୁ ୧୮ ଭିତରେ ବଢ଼ିଛନ୍ତି ଆକ୍ରାନ୍ତ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ନଭେମ୍ବର ମାସ ପରଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଏହି ଫେବ୍ରୁଆରି ୧୫ରୁ ୧୮ ତାରିଖରେ ମଧ୍ୟରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ୧୫ରେ ୯, ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୧୬ରେ ୧୧, ୬୧୦, ୧୭ରେ ୧୨, ୮୮୧ ଓ ୧୮ରେ ୧୩, ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତର ଦେଶରେ କରୋନା ଗ୍ରାଫ୍ ବଢ଼ୁଥବା ଦେଖି ଏବେ ସରକାର ବି ଚିନ୍ତାରେ ଅଛନ୍ତି। କରୋନା ନିୟମକୁ ଅବହେଳା ନକରି ସତର୍କ ରହିବାକୁ ସରକାର ବାରମ୍ବାର ଲୋକଙ୍କୁ ଅପିଲ୍ କରୁଛନ୍ତି।
ଡରାଉଛି ସାଉଥ୍ ଆଫ୍ରିକାନ ଷ୍ଟ୍ରେନ୍
ବ୍ରିଟେନ ଷ୍ଟ୍ରେନ ପରେ ଭାରତରେ ସାଉଥ୍ ଆଫ୍ରିକାନ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହୋଇସାରିଲେଣି। ଭାରତରେ ୪ ଜଣଙ୍କଠାରେ ସାଉଥ ଆଫ୍ରିକ ଷ୍ଟ୍ରେନ ଚିହ୍ନଟ ହୋଇଛି। ତେଣୁ ଏହି ରୋଗକୁ ନେଇ ଖାମ ଖିଆଲି କରିବା ଉଚିତ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଲେଣି।
ମହାରାଷ୍ଟ୍ରରେ ଫେରିଲା ଲକ୍ଡାଉନ୍
କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ପ୍ରଥମରେ ରହିଛି। ସଂକ୍ରମଣ ବଢ଼ିଥିବାରୁ ଏଠାକୁ ଲକଡାଉନ ଫେରିଛି। ଅମରାବତୀ ଜିଲ୍ଲାରେ ଗତ ଦୁଇ ଦିନରେ ୩୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାକୁ ୩୬ ଘଣ୍ଟା ପାଇଁ ଲକଡାଉନ ଘୋଷଣା କରାଯାଇଛି। ଶନିବାର ରାତିଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ତାଲାବନ୍ଦ ରହିବ।
ଗୁଜୁରାଟରେ ନାଇଟ କର୍ଫ୍ୟୁ ଜାରି
ଗୁଜୁରାଟରେ ମଧ୍ୟ କରୋନା ସଂକ୍ରମଣ ବଢ଼ୁଛି। ଫଳରେ ରାଜ୍ୟ ସରକାର ପ୍ରମୁଖ ୪ଟି ସହର ଅହମ୍ମଦାବାଦ, ସୁରତ, ବଡ଼ଦୋରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଅବଧି ଜାରି ରଖିଛନ୍ତି। ୨୦୨୦ ଦୀପାବଳି ପରଠାରୁ ରାଜ୍ୟରେ ସଂକ୍ରମଣ ବଢ଼ିୁଥିବାରୁ ସରକାର ଏହି ୪ ସହରରେ ଲକଡାଉନ ଘୋଷଣା କରିଥିଲେ। ସେବେଠାରୁ ପର୍ଯ୍ୟାୟକ୍ରମେ ଏଠାରେ ନାଇଟ କର୍ଫ୍ୟୁକୁ ବୃଦ୍ଧି କରାଯାଉଛି।
ଓଡ଼ିଶାରେ କରୋନା ଫେରିବା ଆଶଙ୍କା କଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ
ମହାରାଷ୍ଟ୍ର, ଗୁଜରାଟରେ କରୋନା ଫେରିବା ପରେ ଓଡ଼ିଶାରେ ବି କରୋନା ଫେରିବା ନେଇ ଆଶଙ୍କା କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର କହିଛନ୍ତି।














