ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। ଏଥିପାଇଁ ଭୁବନେଶ୍ଵରରେ ମୋଟ୍ ୨୨ଟି ହସ୍ପିଟାଲକୁ ଚୟନ କରାଯାଇଛି। ଏନେଇ ଶନିବାର ବିଏମ୍‌ସି କମିସନର ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଭୁବନେଶ୍ଵରର ୧୦ଟି ଘରୋଇ ଏବଂ ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ ହେବ। ଆସନ୍ତା ସୋମବାରଠାରୁ ଆରୋଗ୍ୟ ସେତୁ ଆପ୍ଲିକେସନ ଦ୍ୱାରା ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ। ପଞ୍ଜୀକୃତ ହେବା ପରେ ଲୋକମାନେ ନିଜ ଇଚ୍ଛାନୁସାରେ ଟିକାକରଣ କେନ୍ଦ୍ର ବାଛିପାରିବେ।

ସେହିପରି ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି। ମାତ୍ର ଘରୋଇ ହସ୍ପିଟାଲରେ ଟିକା ନେଲେ ୧୦୦ ଟଙ୍କା ସର୍ଭିସ ଚାର୍ଜ ପଡ଼ିବ। ତେବେ ଟିକା ବାବଦକୁ ଘରୋଇ ହସ୍ପିଟାଲରେ କେତେ ଟଙ୍କା ଦେବାକୁ ପଡ଼ିବ ସେନେଇ କେନ୍ଦ୍ର ସରକାର ମୂଲ୍ୟ ଧାର୍ଯ୍ୟ କରିବେ।

କରୋନା ଟିକାକରଣ ପାଇଁ ଚିହ୍ନଟ କରାଯାଇଥିବା ଘରୋଇ ହସ୍ପିଟାଲ ହେଲା – ସମ୍ ହସ୍ପିଟାଲ, କିମ୍ସ, କଳିଙ୍ଗ ହସ୍ପିଟାଲ, ବ୍ଲୁ ହୁଇଲ ହସ୍ପିଟାଲ, ଆମ୍ରି, ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ, ଉତ୍କଳ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ, କେୟାର ହସ୍ପିଟାଲ ଓ ହାଇଟେକ ମେଡିକାଲ କଲେଜ।

Comment