ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପରିଚୟ ଫାଉଣ୍ଡେସନ’ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୯ ଜଣ ମହିଳାଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନରାୟଣ ପାତ୍ର ସେମାନଙ୍କୁ ଏହି ପୁରସ୍କାର ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତିଙ୍କୁ ଆଜୀବନ ସଫଳତା ପୁରସ୍କାର, ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ଗାୟତ୍ରୀବାଳା ପଣ୍ଡା, କଳା-ସଂସ୍କୃତି କ୍ଷେତ୍ରରେ ବିଜୟା ଆମୁଜୁରେ, ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳି ରାଉତ ଏବଂ ବିଜେତା ରାଣାଙ୍କୁ ସମ୍ମାନୀତ କରାଯାଇଛି।

ସେହିପରି ଉଦ୍ୟୋଗୀତା କ୍ଷେତ୍ରରେ ତନୟା ପଟ୍ଟନାୟକ, ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ସସ୍ମିତା ଲେଙ୍କା, ଏନ୍‌ଆରଓ କ୍ଷେତ୍ରରେ ଗୀତା ଦାସ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଡକ୍ଟର ସୁଚେତା ପ୍ରିୟ ବାଦିନୀଙ୍କୁ ସମ୍ମାନୀତ କରାଯାଇଥିବାବେଳେ ସଙ୍ଗୀତ କ୍ଷେତ୍ରରେ ଲୋପିତା ମିଶ୍ର ଏବଂ ନାଜିଆ ଆଲମ୍‌, ସ୍ୱତନ୍ତ୍ର ଆବୃତି କ୍ଷେତ୍ରରେ ଭାଗ୍ୟଶ୍ରୀ ସାହୁ ଏବଂ ଅମିତା ସିଂହଙ୍କୁ ସମ୍ମାନୀତ କରାଯାଇଛି।ସେହିପରି କ୍ରୀଡ଼ା କ୍ଷେତ୍ରରେ ଶ୍ରୀମତି ଭୁୟାଁ ଏବଂ ଜୟନ୍ତି ବେହେରା, ଚିକିତ୍ସା ବିଜ୍ଞାନ, ମନୋରଞ୍ଜନ, ଗଣମାଧ୍ୟମ କ୍ଷେତ୍ରରେ ଡକ୍ଟର୍ ଲୋଟସ୍ ମିଶ୍ର, ରିଆ ରେଶ୍ମା ବାରି, ଜୟନ୍ତି ବାରୁଦ ଏବଂ ସ୍ୱତନ୍ତ୍ର ବିଭାଗରେ ସୁଚରିତା ରଥଙ୍କୁ ଆର୍ଯ୍ୟା ସମ୍ମାନରେ ସମ୍ମାନୀତ କରାଯାଇଛି।

ଏହି ଅବସରରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଥିଲେ ଯେ, “ପରିଚୟ ଫାଉଣ୍ଡେସନ ସଦାସର୍ବଦା ମହିଳା ସଶକ୍ତିକରଣ ନିମନ୍ତେ ଦଣ୍ଡାୟମାନ ଏବଂ ନାନାଦି ପ୍ରତିଘାତ ସତ୍ତ୍ଵେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କ ନିମନ୍ତେ ଏହି ଆର୍ଯ୍ୟା ପୁରସ୍କାର ଏକ ଉତ୍କୃଷ୍ଟ ସମ୍ମାନ।”

ନିଜର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ମିଳିତ ଜାତିସଂଘ ଦ୍ୱାରା ଆଦୃତ ଲାଭ କରିଥିବା ପରିଚୟ ଫାଉଣ୍ଡେସନ ୨୦୧୨ ମସିହାରୁ ଏହି ଆର୍ଯ୍ୟା ପୁରସ୍କାର ପ୍ରଦାନ କରିଆସୁଅଛି। ସେହିପରି ୨୦୧୬ ମସିହାରୁ ବିଶ୍ୱ ପିତୃତ୍ୱ ଦିବସ ଅବସରରେ ବିଭିନ୍ନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁରୁଷମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ପରିଚୟ ଫାଉଣ୍ଡେସନ ପକ୍ଷରୁ ‘ଶ୍ରୀ’ସମ୍ମାନ ପ୍ରଦାନ କରାଯାଉଛି।

Comment