ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି। ଜନସାଧାରଣଙ୍କ ଭାବାବେଗକୁ ନଜରରେ ରଖି ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ନେଇ କଂଗ୍ରେସ ପକ୍ଷରୁ ସୋମବାର ବିରୋଧ ପ୍ରଦର୍ଶନ କରାଯାଇଥିଲା।

“ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି । ପରବର୍ତ୍ତୀ ନିଷ୍ପତ୍ତି ଆସିବା ଯାଏଁ ଏହି ଟ୍ୟାକ୍ସ ସ୍ଥିଗିତ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ” କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ପୁରୁଣା ଦର ଅନୁସାରେ ଏବେ ଟ୍ୟାକ୍ସ ଆଦାୟ କରାଯିବ। ବେଞ୍ଚମାର୍କ ବଢ଼ିଥିବାରୁ ବିଏମ୍‌ସି ଟ୍ୟାକ୍ସ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା।

“ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବାରମ୍ବାର ସ୍ପଷ୍ଟୀକରଣ ଦେଇଛୁ। ୨୦୧୯ରେ ବେଞ୍ଚମାର୍କ ଭାଲୁଏସନ ବହୁତ ବଢ଼ିଯାଇଛି। ସେଥିପାଇଁ ଜନସାଧାରଣଙ୍କୁ ହୋଲ୍ଡିଂ ଟ୍ୟାକ୍ସ ବଢିଲାଭଳି ଲାଗୁଛି। ଏହାକୁ ଆଧାର କରି ଘର ସିଲ୍ ପାଇଁ ନୋଟିସ ହୋଇନାହିଁ। ଅଧିକ ବକେୟା ଅର୍ଥ ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ”, କହିଛନ୍ତି ବିଏମ୍‌ସିର ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ।

ଅନ୍ୟପକ୍ଷରେ ସୋମବାର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଦଳର ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ। ବିଏମ୍‌ସି ତା’ର ନିଷ୍ପତ୍ତିକୁ ବଳପୂର୍ବକ ଭାବରେ ସହରବାସୀଙ୍କ ଉପରେ ଲଦୁଛି। ପୂର୍ବରୁ ଯେତିକି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲା, ଏବେ ତା’ର ୧୦ ରୁ ୨୦ ଗୁଣା ଅଧିକା ଆଦାୟ କରାଯାଉଛି କହି ବିରୋଧ କରିଥିଲା କଂଗ୍ରେସ ।

Comment