ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଲେଉଟାଣିକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। ଆଗୁଆ ସତର୍କତା ଅବଲମ୍ବନ କଲେଣି ଜିଲ୍ଲା ପ୍ରଶାସନ।

କିଛି ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଅନେକ ରାଜ୍ୟରେ ଲକଡାଉନ୍‌, ସଟଡାଉନ୍ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଏ ମଧ୍ୟରେ ଓଡ଼ିଶାର ସ୍ଥିତି ଏତେଟା ଖରାପ ନହୋଇଥିଲେ ମଧ୍ୟ ଆଗୁଆ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ସମୀକ୍ଷା କରିବେ। ଏଥିରେ ବିଭିନ୍ନ ସଚିବ, ଜିଲ୍ଲାପାଳ, ଏସପି ସାମିଲ ହେବେ ବୋଲି ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପରେ ପୁଣିଥରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବା ନେଇ ଚର୍ଚ୍ଚା ହେଉଛି।

ଇତିମଧ୍ୟରେ ‘ଜନତା କର୍ପ୍ୟୁ’କୁ ବର୍ଷେ ପୁରିଛି। ୨୨ ମାର୍ଚ୍ଚ ୨୦୨୦ରେ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଜାରି କରାଯାଇଥିଲା ‘ଜନତା କର୍ଫ୍ୟୁ’ । କରୋନାକୁ ନଡରି ସମସ୍ତେ ନିଜ ନିଜ ଘରେ ରହି ଏହାକୁ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବାସୀ ଘଣ୍ଟ ଓ ତାଳି ମାରିଥିଲେ।

ଓଡ଼ିଶାର ସ୍ଥିତି

ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହେଲାଣି। କିଛିଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳେ ରହୁଥିବାେବେଳେ, ଏବେ ୧୦୦ ପାର କଲାଣି। ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଥିସହ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ ହଜାର ୭୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଧା ଆକ୍ଟିଭ କେସ ୮୯୮ ରହିଛି।

ଚିନ୍ତା ବଢ଼ାଉଛି ଟୁଇନ୍ ସିଟି

କରୋନାକୁ ନେଇ ଏବେ ଚିନ୍ତାରେ ବିଏମସି ଓ ସିଏମସି। ପ୍ରଥମେ କଟକର ଏକ ଘରୋଇ କଲେଜରୁ ଏକାଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସୋମବାର ଭୁବନେଶ୍ୱରର ଏକ୍ସଆଇଏମବି ଶିକ୍ଷାନୁଷ୍ଠାନରୁ ୪୫ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏହାପରେ ଟୁଇନ୍ ସିଟିରେ ତତ୍ପର ହୋଇଛି ପ୍ରଶାସନ। ଉଭୟ ଶିକ୍ଷାନୁଷ୍ଠାନକୁ ସିଲ୍ କରିବା ସହିତ, ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି।

ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତିକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଚିହ୍ନଟ ହେଉଥିବା ଅଧିକାଂଶ ପଜିଟିଭ୍ କେସ୍ ଏହିସବୁ ସ୍ଥାନର ବୋଲି ଜଣାପଡ଼ିଛି। ଏସବୁ ଅନୁଷ୍ଠାନ ଖୋଲିବା ଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏବଂ ରାଜ୍ୟବାହାରୁ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସୁଛନ୍ତି। ଏହାଫଳରେ ସଂକ୍ରମଣର ମାତ୍ରା ବଢ଼ୁଥିବା ଆଶାଙ୍କା କରାଯାଉଛି।

ଏହି ଦୁଇ ସହରର ବଜାରମାନଙ୍କରେ ଗହଳି ବଢ଼ୁଛି। ପୂର୍ବଭଳି ଲୋକ ଆଉ କରୋନା ଗାଇଡଲାଇନ ମାନୁନାହାଁନ୍ତି। କାହା ମୁହଁରେ ରହୁନି ମାସ୍କ କି କୌଣସି ବ୍ୟକ୍ତି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉନାହାଁନ୍ତି । ମଲ୍‌ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁଠାରେ ଜନସମାଗମ ଦେଖିବାକୁ ମିଳୁଛି। ଲୋକମାନେ ନିୟମ ନମାନି ଅମାନିଆ ହେଉଛନ୍ତି। ଏଥିପାଇଁ ବଢ଼ୁଛି ସଂକ୍ରମଣ।ମାଲକାନଗିରିରେ ନାଇଟ କର୍ଫ୍ୟୁ

ମାର୍ଚ୍ଚ ୨୩ ରୁ ୩୧ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନାଇଟ କର୍ଫ୍ୟୁ ସମୟରେ ଜରୁରିକାଳୀନ ସେବାରେ କୌଣସି ବାଧା ଉପୁଜିବ ନାହିଁ। ବଡ଼ଯାତ୍ରା, ଦୋଳ ଓ ହୋଲି ପର୍ବ ଥିବାରୁ ଭିଡ଼କୁ ନଜରରେ ରଖି କରୋନା କଟକଣା କଡ଼ାକଡ଼ି କରାଯାଇଛି। ସମୁଦାୟ ୨୦୦ ଲୋକଙ୍କୁ ନେଇ ବଡ଼ଯାତ୍ରା କରିବାକୁ ଅନୁମତି ମିଳିଛି। ଏଥିସହ ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି।

କରୋନା ମୁକାବିଲା ପାଇଁ ଆଗୁଆ ସତର୍କ ଗଞ୍ଜାମ

କରୋନା ଲେଉଟାଣିକୁ ଦେଖି ଆଗୁଆ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲାପ୍ରଶାସନ। ଏନେଇ ଜିଲ୍ଲାରେ କରୋନା ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ବାହାରେ ରହୁଥିବା ଲୋକଙ୍କୁ ଜିଲ୍ଲାକୁ ଫେରିବାକୁ ବାରଣ କରାଯାଇଛି। ଯଦି କୌଣସି କାରଣରୁ ଫେରନ୍ତି, ତେବେ ସାଙ୍ଗରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଆଣିବା ସହ ୭ ଦିନ ହୋକ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଦୁଇ ମାସ ଭିତରେ ଜିଲ୍ଲାରେ ତିନୋଟି ବଡ଼ ପର୍ବ ପାଳିତ ହେବାକୁ ଦୃଷ୍ଟିରେ ରଖି କରୋନା ନିୟମ କଡ଼ାକଡ଼ି କରାଯାଇଛି।

ଗଞ୍ଜାମ ଜିଲ୍ଲା ଓଡ଼ିଶାର ହଟସ୍ପଟ ଏରିଆ ଭାବରେ ବିବେଚିତ ହେଉଥିବାବେଳେ, ପୁଣିଥରେ ଯେପରି ଜିଲ୍ଲାରେ କରୋନା କାୟା ବିସ୍ଥାର ନକରେ, ସେଥିପ୍ରତି ସଜାଗ ରହିଛି ଜିଲ୍ଲା ପ୍ରଶାସନ।ଫେରିବ କି ଲକଡାଉନ୍‌?

ଦିନକୁ ଦିନ ସଂକ୍ରମଣ ବୃଦ୍ଧିକୁ ଦେଖି ପୁଣିଥରେ ଲକଡାଉନ୍ ଫେରିବା ନେଇ ଆଶାଙ୍କା କରାଯାଉଛି। କରୋନାକୁ ପ୍ରତିହତ କରିବା ପାଇଁ କରୋନା ଟିକା ଦିଆଯାଉଥିଲେ ମଧ୍ୟ ଯଦି ଲୋକ ସଚେତନ ନହେବେ, ତେବେ ପୁଣିଥରେ କରୋନା ବ୍ୟାପିବାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କରୋନାର ସ୍ଥିତିକୁ ଦେଖି ଲକଡାଉନ୍ ଘୋଷଣା ହୋଇପାରେ ବୋଲି ପ୍ରଶାସନିକ ସ୍ତରରେ ସତର୍କ କରାଇ ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଆରଟିପିସିଆର ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି। କିଛିଦିନ ପୂର୍ବରୁ ବୁର୍ଲାର ଭିସୁଟରୁ କିଛି ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା। ପର ମୁହୂର୍ତ୍ତରେ ଆଣ୍ଟିଜେନ ରିପୋର୍ଟ ଭୁଲ ପ୍ରମାଣିତ ହୋଇଥିବା ଦର୍ଶାଇ, ସେମାନେ କରୋନା ସଂକ୍ରମିତ ନୁହଁନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତେଣୁ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆନଯାଇ, ଆରଟିପିସିଆର ଟେଷ୍ଟ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି।

ଇତିମଧ୍ୟରେ ଓଡ଼ିଶାରେ ଲକଡାଉନକୁ ବର୍ଷେ ପୁରିଛି । ପ୍ରଥମେ ଗୋଟିଏ ଦିନ ଘୋଷଣା କରାଯାଇଥିଲା । କିନ୍ତୁ ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତି ସମୟରେ ପ୍ରାୟ ୬ ମାସ ଧରି ବଳବତ୍ତର ରହିଥିଲା ଲକଡାଉନ୍ । କରୋନାରେ ଅନେକ ଲୋକ ମୃତ୍ୟୁବରଣ କରିଥିବାବେଳେ, ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ।

Comment