ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ  ଡ଼ିଶା (୩୭)

ଆପଣାର ଭାବକୁ ନିଜର ମୁହଁ ଓ ପାଟି ମାଧ୍ୟମରେ ଧ୍ଵନି ଆକାରରେ ପ୍ରକାଶ କରିପାରିବାର ସାମର୍ଥ୍ୟକୁ ବାକଶକ୍ତି କୁହାଯାଏ। ଭାରତୀୟ ଦର୍ଶନରେ ଏ ବାକ୍‌ଶକ୍ତି ଐଶ୍ଵରିକ, ମଣିଷର ସୃଷ୍ଟିରେ ନିହିତ। ତିନୋଟି ବସ୍ତୁ ମନୁଷ୍ୟର ନୈସର୍ଗିକ। ପ୍ରଥମଟି ହେଲା ମନ। ମନ ବିପୁଳ ଓ ସର୍ବବ୍ୟାପୀ।  ମଣିଷର ମନ ଜଗତର ମନର ଗୋଟିଏ ଅଂଶ। ମନ ପରିଧି ନାହିଁ, ମନର ଆୟତ୍ତ ନାହିଁ। ମନ ଅନ୍ଧାର, ଆମକୁ ଅଦୃଶ୍ୟ। କିନ୍ତୁ ମନ ଭିତରେ ସମସ୍ତ ବିଦ୍ୟା, କଳା, ପାରଦର୍ଶିତା, ସୁଖ ଓ ଦୁଃଖ ଗଚ୍ଛିତ। ମନ ସଂସାରର ନିୟାମକ। ମନର ଇଚ୍ଛା ଅଛି ଏବଂ ଏହି ଇଚ୍ଛାରୁ ହିଁ ଜଗତର ସୃଷ୍ଟି।

ମନରୁ ବିଦ୍ୟା ଆହରଣ କରିବା ବାକଶକ୍ତିର କାର୍ଯ୍ୟ। ବାକଶକ୍ତି ହେଲା ସୃଷ୍ଟିର ଦ୍ଵିତୀୟ ବସ୍ତୁ। ଏହା ଏକ ଶକ୍ତି, କାରଣ ଏହାକୁ ପ୍ରୟୋଗ କରିବାକୁ ହୁଏ। ସୃଷ୍ଟିର ବାକଶକ୍ତି ଫଳରେ ପଦାର୍ଥ ଗୋଚରକୁ ଆସେ, ଦୃଶ୍ୟ ହୁଏ। ମନ ସୃଷ୍ଟିର ଗନ୍ତାଘର, ମନ ଭିତରୁ ଜିନିଷ କାଢିବା ବାକ୍ ଶକ୍ତିର କାର୍ଯ୍ୟ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରକା, ଆକାଶ, ପବନ, ଓ ମାଟି ଏମାନେ ସୃଷ୍ଟିର ବାକଶକ୍ତି ଯୋଗୁ ହିଁ ପ୍ରକଟିତ ହୋଇଛନ୍ତି। ଆହୁରି ନୂଆ ପଦାର୍ଥ ଆବିଷ୍କୃତ ହେଉଛି ଓ ମିଳୁଛି। ଏ ସବୁ ବାକଶକ୍ତିର ପ୍ରୟୋଗ। ସୃଷ୍ଟିର ବାକଶକ୍ତିକୁ ଆମେ ଠାକୁରାଣୀ ବୋଲି ଆଗରୁ କହିଥାଉ। ବେଦରେଏ ହେଲେ ସରସ୍ଵତୀ, ଯେ କି ପଦାର୍ଥକୁ ଚିହ୍ନଟ କରେ। ଚିହ୍ନଟ କରିବାର ଅର୍ଥ ହେଲା ପଦାର୍ଥକୁ ନାଁ ଦେବା। ଏହି ନାଁ ଦେବାଟା ହେଲା ଭାଷା, ଯାହା କି ପଦାର୍ଥ ସହ ଆମର ସଂପର୍କକୁ ଧ୍ଵନିରେ ପ୍ରକାଶ କରିପାରିବାର ସାମର୍ଥ୍ୟ।

ସୃଷ୍ଟିର ତୃତୀୟ ନୈସର୍ଗିକ ବସ୍ତୁ ହେଲା ପ୍ରାଣ। ଏ’ ହେଲା ଜୀବନ। ଉଦ୍ଭିଦ ଓ ପ୍ରାଣୀର ଅବିର୍ଭାବ। ପ୍ରାଣ ଆପଣା ଛାଁକୁ ଆସେ, ଆପଣା ଛାଁରେ ଯାଏ।  ତାକୁ କେହି ଆଣି ପାରେ ନାହିଁ ବା ତାକୁ କେହି ଟାଣି ପାରେ ନାହିଁ। ପ୍ରାଣକୁ ନମସ୍କାର କରାଯାଏ। ପ୍ରାଣର ଆମ ସହ ସଂଯୋଗକୁ ହୃଦୟଙ୍ଗମ କରି ଆମେ ଧନ୍ୟ ରହୁ। ପ୍ରାଣ ମଣିଷକୁ ଆୟୁ ଦିଏ। ଆୟୁ ହେଲା ମଣିଷର ସର୍ବସ୍ଵ ସମ୍ପତ୍ତି। ଆୟୁକୁ ବ୍ୟବହାର କରିବା, ସୁସ୍ଥ ରହିବା ବା ସୁଖୀ ରହିବା ବାକଶକ୍ତିର କାର୍ଯ୍ୟ।

ବ୍ରହ୍ମାଣ୍ଡକୁ ଏପରି ନିରୂପଣ କରିବା ଋଷି ଯାଜ୍ଞବଳ୍କ୍ୟଙ୍କର ସଂସାରକୁ ଅବଦାନ। ଏ’ ହେଲା ପୃଥିବୀର ପ୍ରଥମ ନୈସର୍ଗିକ ତତ୍ତ୍ଵ। ଏ’ ତତ୍ତ୍ଵର ମୂଳଦୁଆ ହେଲା ମନ, ଯାହାର ନିରୂପଣ ବହୁତ ପୁରୁଣା ବୋଲି ଗ୍ରହଣ କରାଯାଇପାରେ। ମନରୁ ପ୍ରାଣର ସୃଷ୍ଟି ବୋଲି ଅନୁମାନ କରାଯାଇପାରେ। ସଂସାରଟା ମନ ଭିତରେ। ମନର ବ୍ୟାପ୍ତି ସଂସାରଠାରୁ ଅଧିକ। ମନକୁ କଳନା କରିବା ବାକଶକ୍ତିର କାର୍ଯ୍ୟ, ପ୍ରାୟତଃ ଦୁଃସାଧ୍ୟ।

ବସ୍ତୁର ଭାବ ନିରୂପଣ କରି ତାକୁ ଧ୍ଵନିବଦ୍ଧ କରିବା ବାକଶକ୍ତିର କାର୍ଯ୍ୟ। ଧ୍ଵନି ହେଲା ଜଗତର ପ୍ରଥମ ସୃଷ୍ଟି। ଏ’ ବିଷୟର ବିଜ୍ଞାନ ଅଲଗା। ବସ୍ତୁ ଦୃଶ୍ୟ ହେଲା ପୂର୍ବରୁ ତା’ର ଧ୍ଵନି ଅଛି। ଧ୍ଵନି ହେଲା ବସ୍ତୁର ଚିହ୍ନଟ। ଧ୍ଵନି ଫଳରେ ରୂପ, ରୂପ ଫଳରେ ଶରୀର। ଧ୍ଵନିକୁ ଶାସ୍ତ୍ର ରେ “ନାମ” ବୋଲି କୁହାଯାଇଅଛି। ଏ’ “ନାମ” ବସ୍ତୁର ପ୍ରକୃତିଗତ। “ନାମ” ଆଉ “ରୂପ”ରେ ସଂସାର ଗଢି ଚାଲିଛି।

ତା’ ହେଲେ ଏ’ ନାମ କେଉଁଠୁ ଆସିଲା, କିଏ ବସ୍ତୁକୁ ନାମ ଦେଲା ? ଏ’ ପ୍ରଶ୍ନର ଉତ୍ତର ଜଟିଳ। ପ୍ରାକୃତିକ ବସ୍ତୁମାନଙ୍କର ଧ୍ଵନି ସେମାନଙ୍କର ବସ୍ତୁତ୍ଵ ସହ ଜଡିତ, ଯେପରି ଘଡଘଡି, ପାଣିର ସୁଅ, ବା ପବନ ପ୍ରବାହ ଆମେ ଶୁଣିପାରୁ ଏବଂ ବସ୍ତୁକୁ ଧ୍ଵନି ଆକାରରେ ନାଁ ଦେଉ। ଏମାନଙ୍କର ରୂପ ନ ଥିଲା ଫଳରେ ଧ୍ଵନି ଉପରେ ରୂପର ପ୍ରଭାବ ନ ଥାଏ, ଖାଲି ଗୁଣ ଥାଏ। କିନ୍ତୁ ରୂପ ଓ ଗୁଣକୁ ଏକାଠି କରି ନାଁ ଦେବା ପ୍ରକୃତିର କାର୍ଯ୍ୟ ନୁହେଁ , ମଣିଷର କାର୍ଯ୍ୟ। ତଥାପି ବସ୍ତୁର ଧ୍ଵନି ବସ୍ତୁର ରୂପ ଓ ଗୁଣ ସହ ନିହିତ ଅଛି ଏବଂ ତାହା ହିଁ ମଣିଷ ମନରେ ଭାବ ସୃଷ୍ଟି କରେ। ଏ ଭାବ ସୃଷ୍ଟି ହେଲା ବାକଶକ୍ତିର କାର୍ଯ୍ୟ। ବାକଶକ୍ତିର ପ୍ରୟୋଗ ଫଳରେ ମଣିଷର ଭାବ ଭାଷାରେ ପରିଣତ ହୁଏ।

ପ୍ରକୃତି ବାଘ ସୃଷ୍ଟି କଲା, କିନ୍ତୁ ବାଘ ଶବ୍ଦକୁ ମଣିଷ ସୃଷ୍ଟି କଲା। କାହିଁକି ଆମେ “ବାଘ”କୁ “ବାଘ” ବୋଲି ନାଁ ଦେବା, ତାର ଅନୁଶୀଳନ ବିଜ୍ଞାନ ପଦ୍ଧତିରେ କରାଯାଇପାରେ। ଭାରତବର୍ଷର ଦାର୍ଶନିକମାନେ କିଛି ପରିମାଣରେ ତତ୍ତ୍ଵ ନିର୍ଦ୍ଧାରଣ କରିଛନ୍ତି। ଏ’ ତତ୍ତ୍ଵକୁ ଆମେ ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରିବା।

LEAVE A REPLY

Please enter your comment!
Please enter your name here