ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେସ୍କୋର ପରିଚାଳନା ଓ  ବିଜୁଳି ବିତରଣ କାର୍ଯ୍ୟ ଟାଟା କମ୍ପାନିକୁ ଯାଇଛି। ବହୁ ଦିନ ଧରି ଚାଲିଥିବା ବିକ୍ରି ପ୍ରକ୍ରିୟା ଚୂଡାନ୍ତ ହେବା ପରେ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ ଯୋଗାଣ କମ୍ପାନି ବା ନେସ୍କୋକୁ ସମ୍ପୂର୍ଣ୍ଣ ଭାବେ ଅଧିଗ୍ରହଣ କରିଛି। TP Northern Odisha Distribution Ltd ନାମରେ ଏଣିକି କମ୍ପାନି ପରିଚିତ ହେବ।

ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧିକାରଣ ପକ୍ଷରୁ ଗୁରୁବାର ଦିନ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଟାଟା ପାୱାର ନେସ୍କୋର ୫୧ ପ୍ରତିଶତ ଅଂଶଧନ ହାତେଇଛି। ଅବଶିଷ୍ଟ ୪୯ ଭାଗ ଅଂଶଧନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗ୍ରୀଡକୋ ହାତରେ ରହିବ।

ଟାଟା ପାୱାର ଏଣିକି  ଉତ୍ତର ଓଡ଼ିଶାର ୫ଟି ସର୍କିଲରେ ଖାଉଟିମାନଙ୍କ ପାଇଁ ବିଦ୍ୟୁତ ଶକ୍ତି ଯୋଗାଇବ। ବିଦ୍ୟୁତ ବିତରଣ ଦାୟିତ୍ୱ ମଧ୍ୟ କମ୍ପାନି ହାତରେ ରହିଛି। ଏହି ୫ଟି ସର୍କିଲରେ ପ୍ରାୟ ୨୦ ଲକ୍ଷ ଗ୍ରାହକ ଅଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର,ବାରିପଦା ଓ କେନ୍ଦୁଝର ସର୍କିଲରେ ବାର୍ଷିକ ପ୍ରାୟ ୫୪୫୦ ମେଗାୱାଟ ବିଜୁଳି ଦରକାର ହୋଇଥାଏ। ୨୫ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଟାଟା କମ୍ପାନି ପ୍ରାୟ ୨୮ ହଜାର କିମି ଅଞ୍ଚଳରେ ବିଦ୍ୟୁତ ଶକ୍ତି ଯୋଗାଇବ।

ନେସ୍କୋକୁ ଅଧିଗ୍ରହଣ କରିବା ପରେ ସମଗ୍ର ରାଜ୍ୟରେ ବିଜୁଳି ବିତରଣ ଓ ଯୋଗାଣ ଟାଟା ପାୱାରକୁ ନ୍ୟସ୍ତ କରାଯାଇଛି। ଓଡ଼ିଶାରେ ମୋଟ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷ।

LEAVE A REPLY

Please enter your comment!
Please enter your name here