ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଦ୍ୟୁତ ସେବା ଯୋଗାଉଥିବା ଟାଟା ପାୱାରର ଖର୍ଚ୍ଚ ବାବଦରେ ଅଡିଟ୍ କରାଯିବ। ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଥିବା ପ୍ରାୟ ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିର୍ଦେଶ ଦେଇଛନ୍ତି। ଏନେଇ ଭୁବନେଶ୍ୱରରେ ଟାଟା ପାଓ୍ୱାରର ବାର୍ଷିକ ପ୍ରଦର୍ଶନ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ଅଡିଟରେ ରାଜ୍ୟ ସରକାର ଗତବର୍ଷ ଟାଟା ପାୱାରକୁ ଦେଇଥିବା ୧୯୦୦ କୋଟି ଟଙ୍କା ଠିକ ଭାବେ ଖର୍ଚ୍ଚ ହୋଇଛି କି ନାହିଁ, ସେ ନେଇ ଯାଞ୍ଚ କରାଯିବ। ଏହି ସମୟରେ ଟାଟା ପାୱାର ତଦାରଖ କରୁଥିବା ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିରେ କିଛି ତ୍ରୁଟି ରହିଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ।

ସେହିପରି ଆଗକୁ ପ୍ରତି ମାସରେ ଓଇଆରସିର ବରିଷ୍ଠ ଅଧିକାରୀ ଟାଟା ପାୱାରର ବିଭିନ୍ନ ଡିଭିଜନକୁ ବୁଲି କାର୍ଯ୍ୟ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକାରୀଙ୍କ ଗସ୍ତବେଳେ ସବୁ ବ୍ୟବସ୍ଥା କରିବା ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି ଓଇଆରସି।

ଅନ୍ୟପଟେ ଓଡ଼ିଶାରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଟାଟା ପାୱାର ପକ୍ଷରୁ ରାଜ୍ୟର ପୁରୁଣା ଭିତ୍ତିଭୂମି ଏବଂ ଖରାଦିନେ ବାରମ୍ବାର ଆସୁଥିବା କାଳବୈଶାଖୀକୁ ଦାୟୀ କରାଯାଇଛି। ସେହିପରି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କମ୍ପାନି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।

ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟକୁ ନେଇ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନେକ ସ୍ଥାନରେ ଲୋକମାନେ ଟାଟା ପାୱାର ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ବିଦ୍ୟୁତ୍ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ତେବେ ଟାଟା ପାୱାରର ତୃତୀୟ ପକ୍ଷ ଅଡିଟ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଅନେକ ବିଦ୍ୟୁତ ବିଶେଷଜ୍ଞ ସ୍ଵାଗତ କରିଛନ୍ତି। ଓଡ଼ିଶାରେ ଯଥେଷ୍ଟ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ କାହିଁକି ବାରମ୍ବାର ବିଜୁଳି ବିଭ୍ରାଟ ଦେଖିବାକୁ ମିଳୁଛି, ଅଡିଟ୍ ସମୟରେ ତା’ର କାରଣ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ କହିଛନ୍ତି।

Tags: #ElectricitySupply #TataPower #Loadshading #OERC #Odisha

 

LEAVE A REPLY

Please enter your comment!
Please enter your name here