ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଟା ପାଓ୍ଵାର ଓଡିଶାର ସେସୁକୁ ଅଧିଗ୍ରହଣ କରିସାରିଛି। ହେଲେ ସେସୁ ସହିତ ୧୦ ବର୍ଷ ଧରି କାମକରୁଥିବା ହଜାର ହଜାର ଏଞ୍ଜେନ୍ କର୍ମଚାରୀମାନଙ୍କ ଚାକିରି ସୁତାଖିଅରେ ଝୁଲୁଛି। ଟାଟା ପାଓ୍ଵାର ସେସୁକୁ ଅଧିଗ୍ରହଣ କରିବା ପରେ ଏଞ୍ଜେନ୍ କର୍ମଚାରୀମାନଙ୍କ ସମ୍ପର୍କରେ କୌଣସି ଲିଖିତ ସର୍ତ୍ତାବଳୀ ନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୭,୬୦୦ କର୍ମଚାରୀମାନଙ୍କ ଜୀବିକା ଉପରେ ଏବେ ପ୍ରଶ୍ନ ଉଠିଛି।

ଆଶା ଓ ଆଶଙ୍କା ଭିତରେ ସନ୍ତୁଳି ହେଉଛନ୍ତି ବିଦ୍ୟୁତ ବିଭାଗର ଏଞ୍ଜେନ୍ କର୍ମଚାରୀମାନେ। ଟାଟା ପାଓ୍ଵାର ସେସୁକୁ ଅଧିଗ୍ରହଣ କରିବା ବେଳେ ଏଞ୍ଜେନ୍ ଫ୍ରାଞ୍ଚାଇଜ୍ର କର୍ମଚାରୀଙ୍କ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏମାନଙ୍କ ପାଇଁ ପୁନଃ ନିଯୁକ୍ତିର କୌଣସି ଚୁକ୍ତିନାମା ମଧ୍ୟ ହୋଇନି। ସମାନ କାମ କରୁଥିବା ଏହି ଫ୍ରାଞ୍ଚାଇଜ୍ କର୍ମଚାରୀଙ୍କ ସ୍ଥାୟୀତ୍ଵ ସମ୍ପର୍କରେ କୌଣସି ବ୍ୟବସ୍ଥା ହୋଇନଥିବାରୁ ସେମାନଙ୍କୁ ଚାକିରିରୁ ବିଦା କରିଦେବାର ଭୟ ସୃଷ୍ଟି ହୋଇଛି।

ଯଦି ପରବର୍ତ୍ତୀ ସମୟରେ ଏଞ୍ଜେନ୍ କର୍ମଚାରୀମାନଙ୍କୁ ଟାଟା ତଡିଦିଏ। ତେବେ ରାଜ୍ୟର କେନ୍ଦ୍ରାପଡା, ମାର୍ଶାଘାଇ, ଜଗତସିଂହପୁର, ଅନୁଗୁଳ, ତାଳଚେର, ଢେଙ୍କାନାଳ ଆଦି ଜିଲ୍ଲାରେ ଏଞ୍ଜେନ୍‌ରେ କାର୍ଯ୍ୟରତ ୭,୬୦୦ କର୍ମଚାରୀ ଜୀବିକା ହରାଇବେ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରି ଏମାନେ କହିଛନ୍ତି ଯେ ଦୀର୍ଘଦିନ ଧରି ବିଦ୍ୟୁତ ସେବା ଯୋଗାଇ ଆସୁଥିବା ସେସୁ କ୍ରମାଗତ କ୍ଷତି ସହୁଥିବା ବେଳେ ଏଞ୍ଜେନ୍ ଆସିବାପରେ ଏହି କ୍ଷତିର ପରିମାଣକୁ ୩୦ ପ୍ରତିଶତ କମାଇ ପାରିଥିଲା। ହେଲେ ରାଜ୍ୟ ସରକାରଙ୍କ ଏହି ନୂତନ ଚୁକ୍ତିରେ ଏଞ୍ଜେନ୍ ସମ୍ପର୍କରେ ଚୁପଚାପ କାହିଁକି ବୋଲି ଏହି ଏଞ୍ଜେନ୍ କର୍ମଚାରୀଗଣ ପ୍ରଶ୍ନ ଉଠାଇଛନ୍ତି।

Comment