ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଆଳ ଦେଖାଇ ଟାଟା ପାୱାର ଗ୍ରାହକଙ୍କୁ ଭୂଆଁ ବୁଲାଉଛି। ଏପରି ଗୁରୁତର ଅଭିଯୋଗ  ଆଣିଛନ୍ତି ନୟାଗଡ଼ ଜିଲ୍ଲାର ବଦ୍ୟୁତ୍ ଉପଭୋକ୍ତାମାନେ। ରକ୍ଷଣାବେକ୍ଷଣ ପାଇଁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ୧୦ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଘୋଷଣା କରାଯାଇଥିଲା। ହେଲେ ୧୨ ଘଣ୍ଟା ପରେ ମଧ୍ୟ ବିଜୁଳି ସରବରାହ କାର୍ଯ୍ୟକ୍ଷମ ହୋଇନଥିବାରୁ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟାଟା ପାୱାର କର୍ମଚାରୀଙ୍କ ଏପରି ଦାୟିତ୍ୱହୀନତା କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରବିବାର ନୟାଗଡ଼ ଜିଲ୍ଲା ସଦର ମହକୁମା ସମେତ ଦଶପଲ୍ଲା, ଗଣିଆଁ, ଖଣ୍ଡପଡ଼ା, ଭାପୁର ଏବଂ ଓଡ଼ଗାଁ ଆଦି ଅଞ୍ଚଳ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରେ ରହିଥିଲା ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁଁ ରୋଗୀ ସେବା, ଇଣ୍ଟରନେଟ ସେବା ପ୍ରଭାବିତ ହେବା ସହ ଅନେକ ପରିବାର ପାନୀୟ ଜଳର ଘୋର ଅସୁବିଧା ଭୋଗିଥିଲେ।

ସହରାଞ୍ଚଳର ସଚେତନ ଗ୍ରାହକ ତଥା ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟାଟା ପାୱାର ନାନା ଉପାୟରେ ଗ୍ରାହକଙ୍କୁ ହତାଶ କରୁଥିବା କହିଛନ୍ତି। ଜିଲ୍ଲାରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା କମ୍ପାନି ହାତକୁ ଯିବା ପରଠାରୁ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ପରିବର୍ତ୍ତେ ଶୋଷଣ କରୁଥିବା ସେ ପ୍ରକାଶ କରିଛନ୍ତି। ଏହି ସମାନ ଅଭିଯୋଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Tags: #Tatapower #ElectricitySupply #Powercut #Nayagarh #Odisha

Comment