ଓଡ଼ିଶାଲାଇଭ୍ ବ୍ୟୁରୋ

“ସାରା ଦେଶ ଏବେ ପୁଣି କରୋନାର ପ୍ରକୋପରେ ଭୟଭୀତ ହେଲାଣି। କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ ମୁଣ୍ଡ ଟେକିଛି ସଂକ୍ରମଣ। ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ହେଲେ କୋଭିଡ ନିୟମ ପାଳନ ସହ ଟିକାକରଣରେ ସାମିଲ ହେବା ହିଁ ଏକମାତ୍ର ଉପାୟ”, କରୋନା ଟିକାକରଣକୁ ନେଇ ଏଭଳି ମତ ଦେଇଛନ୍ତି ସାଧାରଣ ଜନତା।ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶାଲାଇଭ୍ ଟିମ୍ ଭୁବନେଶ୍ଵର, ୟୁନିଟ – ୪ ସରକାରୀ ଡାକ୍ତରଖାନା ଟିକାକରଣ କେନ୍ଦ୍ରରେ ଟିକା ନେଉଥିବା କିଛି ବ୍ୟକ୍ତିଙ୍କୁ ଭେଟିଥିଲା। ଟିକା ନେବାରେ କିଛି ଭୟ କରିବାର ନାହିଁ। ଟିକା ନେଲେ ହିଁ କରୋନାଠାରୁ ରକ୍ଷା ମିଳିବ। ତେଣୁ ଟିକା ନେବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି କହିଥିଲେ ଟିକା ନେଉଥିବା ବ୍ୟକ୍ତି।

“ମାର୍ଚ୍ଚ ମାସରେ ମୁଁ ପ୍ରଥମ ଡୋଜ୍ ଟିକା ନେଇଥିଲି। ଟିକା ନେବାର ୨୮ ଦିନ ପୂରିବା ପରେ ଏବେ ଦ୍ଵିତୀୟ ଡୋଜ୍ ଟିକା ନେଇଛି। ମୋ ଭିତରେ ଏଯାଏଁ କିଛି ବି ପାର୍ଶ୍ଵପ୍ରତିକ୍ରିୟା ଦେଖାଦେଇନି। ତେଣୁ ଟିକା ନେବାକୁ କେହି ଡରନ୍ତୁ ନାହିଁ। ସରକାର ଆମର ଉପକାର ପାଇଁ ଟିକା ଦେଉଛନ୍ତି। ତେଣୁ ସମସ୍ତେ ଟିକା ନେବାକୁ ଆଗେଇ ଆସନ୍ତୁ” କହିଛନ୍ତି ନୟାପଲ୍ଲୀରେ ରହୁଥିବା ମଧୁସୂଦନ ଦାସ।
“କରୋନା ଟିକା ମଧ୍ୟ ସାଧାରଣ ଟିକା ପରି ଅଟେ। ଏଥିରେ କିଛି ଭୟ କରିବାର କାରଣ ନାହିଁ। ମୁଁ ବୃତ୍ତିରେ ଜଣେ ଅଧ୍ୟାପିକା। ପ୍ରତିଦିନ କେତେ ଛାତ୍ରାଛାତ୍ରୀଙ୍କ ସଂସ୍ପର୍ଶରେ ଆସୁଛି। କେତେବେଳେ ଯେ କରୋନାରେ ମୁଁ ସଂକ୍ରମିତ ହୋଇଯିବି କିଛି କହିହେବ ନାହିଁ। ତେଣୁ କୋଭିଡ ନିୟମ ପାଳନ କରିବା ସହ ଟିକା ହିଁ ଏହି ମହାମାରୀରୁ ଆମକୁ ରକ୍ଷା କରିପାରିବ। ସରକାର ଏବେ ୪୫ ବର୍ଷରୁ ଊର୍ଦ୍ଧ୍ଵ ଲୋକମାନଙ୍କର ଟିକାକରଣ ଆରମ୍ଭ କରିଛନ୍ତି। ତେଣୁ ମୁଁ ଟିକା ନେବାକୁ ଆଗେଇ ଆସିଛି। ଆପଣମାନେ ମଧ୍ୟ ନିଜ ପାଳି ଅନୁସାରେ ଟିକା ନେଇ ନିଅନ୍ତୁ”, କହିଛନ୍ତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଗୋପା ମିତ୍ର।

ସେହିପରି ଭୁବନେଶ୍ଵର ନୟାପଲ୍ଲୀରେ ରହୁଥିବା ମାୟାଧର ନାୟକ କହିଛନ୍ତି,”କରୋନା ସଂକ୍ରମଣ ଏବେ ପୁଣି ବଢ଼ିବାରେ ଲାଗିଛି। ଯଦି ଆମେ ଟିକା ନ ନେବା ତେବେ କରୋନାରୂପୀ ରାକ୍ଷସକବଳରୁ ଆମକୁ କେହି ବଞ୍ଚାଇ ପାରିବେନି। ମାର୍ଚ୍ଚ ମାସରେ ମୁଁ ପ୍ରଥମ ଡୋଜ୍ ଟିକା ନେଇଥିଲି। ଏବେ ୨୮ ଦିନ ପୂରିବା ପରେ ଦ୍ଵିତୀୟ ଡୋଜ୍ ନେଇଛି। ଟିକାକେନ୍ଦ୍ରର ସ୍ଵାସ୍ଥ୍ୟକର୍ମୀମାନେ କେତେବେଳେ ଯେ ମୋତେ ଟିକା ଦେଇଦେଲେ ମୁଁ କିଛି ଜାଣିପାରିଲି ନାହିଁ। ୭୨ ବର୍ଷୀୟ ବୃଦ୍ଧ ହୋଇ ମଧ୍ୟ ମୁଁ ଟିକା ନେବାକୁ ଡରୁନାହିଁ। ତେଣୁ ଅନ୍ୟମାନେ ମଧ୍ୟ କିଛି ଭୟ କରନ୍ତୁ ନାହିଁ। ଟିକା ନିଅନ୍ତୁ, ଆଉ କରୋନାକୁ ହରାଇବାରେ ଦେଶକୁ ସାହାଯ୍ୟ କରନ୍ତୁ।“କରୋନା ମହାମାରୀ ସମୟରେ ଖବର ଆସେ ଋଷ୍‌ରେ ଟିକାକରଣ ଆରମ୍ଭ ହେଲା, ବ୍ରିଟେନରେ ପ୍ରଥମ ଟିକାକରଣ ଆରମ୍ଭ ହୋଇଛି। ତେଣୁ ଆମ ଭାରତରେ କେବେ ଟିକାକରଣ ହେବ ତାହାକୁ ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲି। ଆମ ଦେଶରେ ୪୫ ବର୍ଷ ବୟସ୍କଙ୍କ ପାଇଁ ସରକାର ଟିକାକରଣ ଆରମ୍ଭ କରିବା ପରେ ମୁଁ ଟିକା ନେଇଛି। ଟିକା ନେବା ବେଳେ କିଛି ଅସୁବିଧା ହୋଇନାହିଁ, ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ଦେଖାଦେଇନି। ତେଣୁ ଟିକା ନେବାରେ କିଛି ଭୟ କରିବାର ନାହିଁ। ଟିକା କେନ୍ଦ୍ରରେ କିଛି ଲୋକଙ୍କର ପ୍ରତିକ୍ରିୟା ବୁଝିଥିଲି। ସମସ୍ତ ବିନା ଭୟରେ ଟିକା ନେଇଥିବା କହିଲେ। ତେଣୁ କେହି ନ ଡରି ଟିକା ନେବାକୁ ଆଗେଇ ଆସନ୍ତୁ”, କହିଛନ୍ତି ବରିଷ୍ଠ ସାମ୍ଵାଦିକ ଧୃତିକାମ ମହାନ୍ତି।

ସେହିପରି ପୁରୁଣା ଭୁବନେଶ୍ଵରବାସିନ୍ଦା ସିମି ମହାପାତ୍ର କହିଛନ୍ତି,”କରୋନା ବେଳେ ଟେଲିଭିଜନ, ଖବରକାଗଜ ଆଦିରେ ପଢ଼ିଥିଲି ବୈଜ୍ଞାନିକମାନେ କରୋନା ଟିକା ବାହାର କରୁଛନ୍ତି। ଟିକା ଆସିଲେ କରୋନାକୁ ରୋକା ଯାଇପାରିବ। ତେଣୁ ମୋ ମନରେ ମଧ୍ୟ ଟିକା ନେବାକୁ ବେଶ୍ ଉତ୍ସାହ ଥିଲା। ଏବେ ମୁଁ ଏବେ ପ୍ରଥମ ଡୋଜ୍ ଟିକା ନେଇଛି। କିଛି ଭୟ ଲାଗିଲା ନାହିଁ। ତେଣୁ ମୁଁ ଅନ୍ୟମାନଙ୍କୁ କହିବି କି ସେମାନେ ଟିକା ନେବାକୁ ଡରନ୍ତୁ ନାହିଁ। ସରକାରଙ୍କ ନିୟମ ଅନୁସାରେ ଟିକା କେନ୍ଦ୍ରକୁ ଯାଇ ଟିକା ନିଅନ୍ତୁ।

Comment