ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ପଜିଟିଭ୍ କେସ୍ ବଢ଼ିବା ସଙ୍ଗେସଙ୍ଗେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ। କୋଭିଡ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ ଚୌଧାରୀ।

ସେ କହିଛନ୍ତି, “ଗମନାଗମନରେ କଟକଣା ନଥିବାରୁ ଭବେନଶ୍ୱରରେ ବଢ଼ୁଛି ସଂକ୍ରମଣ। ଲୋକମାନେ ସଠିକ୍ ଭାବରେ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି ତେଣୁ କରୋନା ବ୍ୟାପିଛି। କଟକଣା ଉପରେ ନଜର ରଖିବା ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲମାନଙ୍କରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଛି। ରେଳ ଷ୍ଟେସନ ଓ ବିମାବନ୍ଦରରେ ବିଏମସି ପକ୍ଷରୁ ଟେଷ୍ଟ କରାଯାଉଛି । ସବୁ ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରି ସଚେତନ କରାଯାଉଛି। ମଲ୍‌, ମାର୍କେଟ, ମନ୍ଦିରମାନଙ୍କ ଉପରେ ନଜର ରଖିଛି ବିଏମ୍‌ସି।”

ସେ ଆଉ ମଧ୍ୟ କହିଛନ୍ତି, “ଆସନ୍ତାକାଲିଠାରୁ ଭୁବନେଶ୍ୱରରେ କରୋନା କଟକଣା କଡ଼ାକଡ଼ି କରାଯିବ। ବସ୍ତିରେ ସଚେତନ ସୃଷ୍ଟି କରିବା ପାଇଁ ସ୍ଲମ କମିଟି ଗଠନ କରାଯାଇଛି। ଯେଉଁ ଶିକ୍ଷାନୁଷ୍ଠାନମାନଙ୍କୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ବିଏମ୍‌ସି ତରଫରୁ ସଙ୍ଗେସଙ୍ଗେ ସିଲ୍ କରାଯାଉଛି।”

ଅନ୍ୟପକ୍ଷରେ ରାଜ୍ୟରେ ବ୍ୟାପିବାରେ ଲାଗିଛି କରୋନା। ଏବେ ଦୈନିକ ୪ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା ଭୂତାଣୁକୁ ନାଶ କରିବା ପାଇଁ ସରକାରଙ୍କ ପକ୍ଷରୁ ଟିକା ଦିଆଯାଉଛି। ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟିକା ନେଉଛନ୍ତି।

Comment