ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ ପାଇଁ ଦାନ ଦେବାକୁ ଘୋଷଣା କରିଥିବା ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ସୁସ୍ମିତା ବାଗ୍‌ଚୀଙ୍କ ସମ୍ପତ୍ତି ପରିଚାଳନା ଲାଗି ଯୋଜନା କେମିତି?

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିଆସିଛନ୍ତି। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ହସ୍ପିଟାଲ ସହିତ ସେମାନେ ଜଡ଼ିତ ଅଛନ୍ତି। ଉଭୟ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ସମ୍ବଳରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ, ବୟସ୍କଙ୍କ ଯତ୍ନ, ଉଦ୍ୟୋଗୀକରଣର ବିକାଶ ଓ ଶିକ୍ଷାକୁ ପ୍ରୋତ୍ସାହନ ଆଦି ଦିଗରେ କାର୍ଯ୍ୟ କରୁଛନ୍ତି। ହେଲେ ନିଜ ସମ୍ପତ୍ତିକୁ ବିଭିନ୍ନ ସେବା ଅନୁଷ୍ଠାନକୁ ଦାନ କରିବାକୁ କାହିଁକି ନିଷ୍ପତ୍ତି ନେଲେ ସୁବ୍ରତ ଓ ସୁସ୍ମିତା ବାଗ୍‌ଚୀ? ଏ ସମ୍ପର୍କରେ ‘ଆଉଟଲୁକ୍‌’କୁ ଏକ ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ।

‘‘କିଛି ବର୍ଷ ତଳେ ଦିନେ ସୁସ୍ମିତା, ମୁଁ ଏବଂ ଆମର ଦୁଇ ଝିଅ ବସି କଥା ହେଉଥିଲୁ। ଆମେ ଆମର ଅର୍ଜିତ ଟଙ୍କା କିପରି ପରିଚାଳନା କରିବୁ ସେ ବିଷୟରେ ଆଲୋଚନା କରିଥିଲୁ। ସେହି ସମୟରେ, ଆମେ ସ୍ଥିର କରିଥିଲୁ ଯେ, ଆମର ସଞ୍ଚୟ କେବଳ ପରିବାର ସଦସ୍ୟଙ୍କ ପାଇଁ ହେବ ନାହିଁ। ଏଥିରୁ କିଛି ଅଂଶ ସାଧାରଣ ଲୋକଙ୍କ ସେବା ପାଇଁ ବ୍ୟବହୃତ ହେବ। ଅବଶ୍ୟ ଆମେ ସେ ସମୟରେ ଅର୍ଥରାଶି କେତେ ହେବ ଚିନ୍ତା କରିନଥିଲୁ କିନ୍ତୁ ଆମ ସଞ୍ଚିତ ଟଙ୍କା ଲୋକଙ୍କ ସେବାରେ ଲାଗିବ ସେ ନିଷ୍ପତ୍ତିରେ ଚୂଡ଼ାନ୍ତ ଥିଲୁ’’, କହିଛନ୍ତି ସୁବ୍ରତ ବାଗ୍‌ଚୀ।

ଆମେ ଆମ ସମ୍ପତ୍ତିର ରକ୍ଷକ, ମାଲିକ ନୁହେଁ – ସୁବ୍ରତ ବାଗ୍‌ଚୀ

‘‘ଆମେ ଆମ ନିଜକୁ ସମ୍ପତ୍ତିର ରକ୍ଷକ ଭାବେ ଦେଖିୁ, ମାଲିକ ଭାବେ ନୁହେଁ।  ଶିଳ୍ପପତି ନନ୍ଦନ ନିଲେକାନି ଓ ତାଙ୍କ ପତ୍ନୀ ରୋହିଣୀ ନିଲେକାନି ଏବଂ ଆଜିମ ପ୍ରେମଜୀଙ୍କ ପରି ଲୋକମାନଙ୍କୁ ଦେଖି ଆମେ ଏହି ଭାବନାରେ ଗଭୀର ଅନୁପ୍ରାଣିତ ହୋଇଛୁ। ସେମାନଙ୍କର ପଦକ୍ଷେପକୁ ଦେଖି ଆମେ ନିଜ ପାଇଁ ଏକ ଟେମ୍ପଲେଟ୍ ତିଆରି କରିଛୁ। ସେମାନେ ଆମକୁ ଶିଖାଇଛନ୍ତି ଯେ, ଏକ ବୃହତ ସମସ୍ୟାକୁ ଚିହ୍ନି ତା’ର ସମାଧାନ ଲାଗି ତୁରନ୍ତ କାର୍ଯ୍ୟ କରିବା ଆବଶ୍ୟକ।  ବର୍ତ୍ତମାନ କ୍ୟାନ୍‌ସର ବା କର୍କଟ ରୋଗ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ତେଣୁ ଆମେ ଏହି ହସ୍ପିଟାଲ କରିବାକୁ ଚିନ୍ତା କଲୁ’’, କହିଛନ୍ତି ସୁବ୍ରତ ବାଗ୍‌ଚୀ।

କରୋନା କାଳରେ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅଢେଇ କୋଟି ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ। କିଛି ବର୍ଷ ତଳେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟକୁ ଏକ ମିଲିୟନ ଡଲାର ଦାନ କରିଥିଲେ ବାଗ୍‌ଚୀ ଦମ୍ପତି। ସେହିପରି ଅରବିନ୍ଦ ଚକ୍ଷୁ ହସ୍ପିଟାଲ ଓ ‘କରୁଣାଶ୍ରୟ’ ସହିତ ମଧ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଅଛନ୍ତି ସୁବ୍ରତ ଓ ସୁସ୍ମିତା ବାଗ୍‌ଚୀ।

‘‘ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ୨୦୧୬ରେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରିବାକୁ ଓଡ଼ିଶା ଆସିଥିଲୁ, ସେତେବେଳେ ଆମେ ଅନୁଭବ କରିଥିଲୁ ଆମେ ଓଡ଼ିଶା ମାଟିରେ ଜନ୍ମ, ତେଣୁ ଓଡ଼ିଶା ପାଇଁ ବହୁତ କିଛି କରିବାର ଅଛି’’, କହିଛନ୍ତି ସୁବ୍ରତ ବାଗ୍‌ଚୀ।

ଓଡ଼ିଶାରେ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ ପାଇଁ ଅନୁଦାନ

ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ଏବେ ଚର୍ଚ୍ଚାରେ ଅଛନ୍ତି। ବାଗ୍‌ଚୀ ଦମ୍ପତ୍ତିଙ୍କ ଏହି ଦାନ ଲାଗି ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ ମିଳୁଛି। ସେମାନଙ୍କ ବଦାନ୍ୟତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।

ବାଗ୍‌ଚୀ ଦମ୍ପତିଙ୍କ ଅନୁଦାନରେ ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିରେ ୨୦ ଏକର ଜାଗାରେ ନିର୍ମିତ ହେବାକୁ ଯାଉଛି ‘ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର’। ସେହିପରି ଆଉ ୨୦ ଏକର ଜମିରେ ହେବ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର’। ରାଜ୍ୟ ସରକାର ଏହି ୪୦ ଏକର ଜମି ମାଗଣାରେ ଯୋଗାଇ ଦେବେ। ଏହି କ୍ୟାନ୍‌ସର ଚିକିତ୍ସା କେନ୍ଦ୍ର ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସରକାରୀ ଓ ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଏହା ସର୍ବବୃହତ୍ତ ପ୍ରକଳ୍ପ ଭାବେ ପରିଚିତ ହେବ। ସେହିପରି ଜାତୀୟ ସ୍ତରରେ ମଧ୍ୟ ଏହା ଆଗାମୀ ଦିନରେ ବିଶେଷ ଗୁରୁତ୍ୱ ବହନ କରିବା।

Comment