ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ଏକ ସଂଘାତିକ ତଥ୍ୟ ଆସିଛି। ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏମିତିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ଏକଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

‘‘ପ୍ରଥମ ପର୍ଯ୍ୟାୟରେ ବୟସ୍କ ଅଧିକ ସଂକ୍ରମଣ ହେଉଥିଲେ। ଏବେ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌। କାରଣ ଯେଉଁ ବୟସ୍କମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି ସେମାନଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଛି। ସେମାନେ ଆଉ ଦ୍ୱିତୀୟ ଥର ସଂକ୍ରମିତ ହେଉନାହାନ୍ତି। ତେଣୁ ଏବେ ଯୁବକମାନେ ଅଧିକ ସଂକ୍ରମିତ ହେଉଛନ୍ତି। ମହାରାଷ୍ଟ୍ରରେ ସମୁଦାୟ ଆକ୍ରନ୍ତଙ୍କ ମଧ୍ୟରୁ ୮ ପ୍ରତିଶତ କେବଳ ଯୁବକ ଅଛନ୍ତି’’, କହିଛନ୍ତି ବିଜୟ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ ବି ସ୍ଥିତି ସଙ୍କଟାପନ୍ନ ନଥିଲା। ହେଲେ ଏହି ଦ୍ୱିତୀୟ ଲହରରେ ଶିଶୁମାନଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ତେଣୁ ଯଦି ଠିକ୍‌ ସମୟରେ ସେମାନଙ୍କ ଚିକିତ୍ସା ନକରାଯାଏ ତାହେଲେ ସେମାନଙ୍କ ଜୀବନ ବିପଦରେ ପଡ଼ିପାରେ।

କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ବେଶୀ ସଂକ୍ରାମକ ହୋଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଛୁଇଁଛି। କରୋନାରେ ବ୍ରେକ ଲଗାଇବାକୁ ହେଲେ ସଚେତନତା ହିଁ ଏକମାତ୍ର ଉପାୟ। ତେଣୁ ସମସ୍ତେ କରୋନା ନିୟମ ମାନନ୍ତୁ ବୋଲି ସେ କହିଛନ୍ତି।

Comment