ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। କରୋନାର ଦ୍ୱିତୀୟ ଲହର ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେଧିରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଚିନ୍ତା ବଢ଼ାଇଛନ୍ତି ଛତିଶଗଡ଼ ଫେରନ୍ତା। ଛତିଶଗଡ଼ରୁ ଫେରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୩୦ଜଣଙ୍କୁ ବ୍ୟାପୁଛି କରୋନା। ଏବେ ରାଜ୍ୟରେ ଛତିଶଗଡ଼ ଫେରନ୍ତା ପାଲଟିଛନ୍ତି ସୁପରସ୍ପ୍ରେଡର। ଏସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେ କହିଛନ୍ତି, “କରୋନା ଡ୍ରପଲେଟ୍ ବାୟୁମଣ୍ଡଳରେ ବୁଲୁଛି। ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ମାସ୍କ । ତେଣୁ ସମସ୍ତେ ବାହାରକୁ ଗଲାବେଳେ ମୁହଁରେ ମାସ୍କ ପିନ୍ଧି ଯାଆନ୍ତୁ। ରିପୋର୍ଟ ଅନୁସାରେ ଜଣେ ଛତିଶଗଡ଼ ଫେରନ୍ତା ୩୦ଜଣଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ ସମସ୍ତେ ସରକାରଙ୍କ କରୋନା ଗାଇଡଲାଇନ୍କୁ ମାନନ୍ତୁ। ବଜାରରେ ଗହଳି କରନ୍ତୁ ନାହିଁ। ଜରୁରୀ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ଏହି ସମୟରେ ସମସ୍ତେ ଦାୟିତ୍ୱବାନ୍ ହେବା ଦରକାର। କରୋନା ମୁକାବିଲା ପାଇଁ ସରକାରୀ ସ୍ତରରେ ସମସ୍ତେ ପ୍ରସ୍ତୁତ ରହିଛନ୍ତି।”
ଅନ୍ୟପକ୍ଷରେ ହେଲ୍ଥ ଜର୍ଣ୍ଣାଲ ଲାନ୍ସେଟର ରିପୋର୍ଟ ଅନୁସାରେ, ପବନରେ ବ୍ୟାପୁଛି କରୋନା ଭାଇରସ୍। ଏଥିସହ ଖୋଲା ସ୍ଥାନ ବଦଳରେ ବନ୍ଦ କୋଠରୀରେ ସଂକ୍ରମଣ ଅଧିକ ବ୍ୟାପୁଛି । କରୋନାର ଦ୍ୱିତୀୟ ଲହରରେ ଜଣେ ଲୋକ ୫୪ଜଣଙ୍କୁ ସଂକ୍ରମିତ କରିପାରିବ।
କରୋନା ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ରାଜ୍ୟରେ ଲାଗୁହୋଇଛି ନାଇଟ କର୍ଫ୍ୟୁ। ଛିତିଶଗଡ଼ ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ପଶ୍ଚିମଓଡ଼ିଶାର ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ ଘୋଷଣା କରାଯାଇଛି। ଏହିସମୟରେ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ।













