ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଲହରୀ କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁଙ୍କୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଲାଙ୍କୁ ସୁରକ୍ଷିତ ରଖିବା ଲାଗି ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଦରକାର।
ଗତ ବର୍ଷ ଯେତେବେଳେ କରୋନା ଆସିଲା, ଏହି ସ୍ଥିତି ନଥିଲା। ୨୦୨୦ରେ ବୟସ୍କମାନଙ୍କ ତୁଳନାରେ ଶିଶୁମାନେ କମ ସଂକ୍ରମିତ ହେଉଥିଲେ। କିନ୍ତୁ ଏବେ ସ୍ଥିତି ବଦଳିଛି। ଦ୍ଵିତୀୟ ଲହରରେ ଶିଶୁ ଓ ଯୁବକ ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ସୁତରାଂ, ପିଲାଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବାକୁ ହେଲେ ଗହଳି ଜାଗା ଓ ଭିଡ଼ ଭିତରକୁ ନନେବା ପାଇଁ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ଶିଶୁ ରୋଗ ବିଶେଷଜ୍ଞ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ପିଲା ଘର ଭିତରେ ରହୁଛନ୍ତି ହେଲେ ବୟସ୍କ ବାହାରକୁ ଯାଉଛନ୍ତି ସେମାନେ ହିଁ ଭୂତାଣୁ ର ବାହକ। ଏଣୁ ବୟସ୍କମାନେ ଅଧିକ ସଚେତନ ରହନ୍ତୁ।
ଅନ୍ୟପଟେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଭିସି ଡାକ୍ତର ଅଶୋକ ମହାପାତ୍ରଙ୍କ କହିବା ଅନୁଯାୟୀ ସ୍କୁଲ ବନ୍ଦ ରହିବା ଫଳରେ ପିଲା ଘରେ ରହୁଥିଲେ। କଟକଣା ଉଠିବା ପରେ ଓ ସ୍କୁଲ ଯିବା ଆରମ୍ଭ କରିବା ସହ ସେମାନଙ୍କ ପାଇଁ ନୂଆ କରୋନା ଷ୍ଟ୍ରେନ ଚିନ୍ତାର କାରଣ ହୋଇଛି। ଏଣୁ ଯଥା ସମ୍ଭବ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।














