ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା କମ୍ପାନିମାନଙ୍କ ସହ ବୈଠକ କରିବା ପରେ ଏହି ଘୋଷଣା କରାଯାଇଛି।

ଟିକାକରଣ ନେଇ ସରକାର ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବାକୁ ସରକାର କହିଛନ୍ତି। ଏହାପରେ ବାକି ଟିକାକୁ ଉତ୍ପାଦନକାରୀ କମ୍ପାନିମାନେ ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ।

ସେହିପରି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଟିକା ଯୋଗାଇବେ। ଅର୍ଥାତ୍ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଟିକାକରଣରେ ଆଗୁଆ ଏବଂ ଟିକାର ଅପଚୟ କମ୍ ହେଉଥିବା ମାନଦଣ୍ଡରେ ରାଜ୍ୟଗୁଡ଼ିକୁ କେତେ ପରିମାଣରେ ଟିକା ଦିଆଯିବ ତାହା ବିଚାର କରାଯିବ। ଏଥିସହ ଟିକା ଉତ୍ପାଦନକାରୀ କମ୍ପାନିମାନେ ଟିକାର ଦାମ ସ୍ଥିର କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Comment