ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତିଲ ହେଲା ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଓ ଓଡ଼ିଶା ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ବାତିଲ ନେଇ ବୁଧବାର ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ପିଲାଙ୍କ ପରୀକ୍ଷା ଫଳ କରାଯିବ। ତେବେ ବୋର୍ଡର ସେହି ପଦ୍ଧତି କ’ଣ ତାହା ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଯେଉଁମାନେ ତାଙ୍କ ରେଜଲ୍ଟକୁ ନେଇ ସନ୍ତୁଷ୍ଟ ନଥିବେ ସେମାନଙ୍କୁ କୋଭିଡ ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ କହିଛନ୍ତି ମନ୍ତ୍ରୀ।

ରାଜ୍ୟରେ କୋଭିଡ ସ୍ଥିତି ଗମ୍ଭୀର ହେବାରୁ କିଛି ଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ସ୍ଥଗିତ ନେଇ ଘୋଷଣା ହୋଇଥିଲା। ଏହାପରେ ମଙ୍ଗଳାବାର ପରୀକ୍ଷା ବାତିଲ ଦାବିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ। ଏ ବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ।

ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ସ୍ଵଗତ କରିଥିବା ବେଳେ କେତେକାଂଶରେ ଶିକ୍ଷାବିତ୍‌ମାନେ ଏହା ଠିକ୍ ନିଷ୍ପତ୍ତି ନୁହେଁ ବୋଲି ମତ ରଖିଛନ୍ତି।

“ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରିବା ଠିକ୍ ନିଷ୍ପତ୍ତି ନୁହେଁ। ଏହାଦ୍ଵାରା ବିଶେଷ କରି ଗ୍ରାମାଞ୍ଚଳର ପିଲାମାନେ ଅସୁବିଧାରେ ପଡ଼ିବେ। ମାଟ୍ରିକ ପରୀକ୍ଷା ବାତିଲ ହେବା ଦ୍ଵାରା ଫଳାଫଳରେ ତ୍ରୁଟି ରହିବ। ଫଳରେ କଲେଜରେ ଆଡମିସନ କରିବାରେ ଅସୁବିଧା ହେବ। ସେହିପରି ପରବର୍ତ୍ତୀ ସମୟରେ ଯଏଉଁ ପିଲାମାନେ ପୁଣି ଥରେ ପରୀକ୍ଷା ଦେବେ ସେମାନେ ଅନ୍ୟ ପିଲାଙ୍କଠାରୁ ପଛରେ ରହିଯିବେ। ତେଣୁ ପୂର୍ବରୁ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖି ଶିକ୍ଷା ବିଭାଗ ଯେଉଁ ସ୍ଵତନ୍ତ୍ର ନିଷ୍ପତ୍ତି ନେଇଥିଲା, ତାହା ଠିକ୍ ଥିଲା”, କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରୀତିଷ ଆଚାର୍ଯ୍ୟ

Comment