ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି, ଯାହାକି ଏବେର କରୋନା ଭୂତାଣୁ ଅପେକ୍ଷା ଅଧିକ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଡ଼ା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଲେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଦୁଇ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ଵର ସୀମାରେ ଚେକିଂକୁ କଡ଼ାକଡ଼ି କରାଯିବ। ଏଥିପାଇଁ ଏହି ଦୁଇ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାରଠାରୁ ଏହି କଟକଣା ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।ସେହିପରି କ୍ଵାରେଣ୍ଟାନ୍ ବାବଦରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିମାନେ ୪୮ ଘଣ୍ଟା ପୂର୍ବର କରୋନା ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ଵା ଦ୍ଵିତୀୟ ଡୋଜ୍ କୋଭିଡ୍ ଟିକାର ପ୍ରମାଣପତ୍ର ଦେଖାଇବେ। ଯଦି କାହା ପାଖରେ ଦୁଇଟି ମଧ୍ୟରୁ କିଛି ନଥିବ ତାଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରହିବାକୁ ପଡ଼ିବ। ସରକାରଙ୍କ ଦ୍ଵାରା ହୋଇଥିବା କ୍ଲଷ୍ଟର କ୍ଵାରେଣ୍ଟାଇନ୍ କିମ୍ଵା ପେଡ୍ କ୍ଵାରେଣ୍ଟାଇନ୍ ସେଣ୍ଟରରେ ସେ ରହିପାରିବେ।

ଏଥିସହିତ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ଵା ଦ୍ଵିତୀୟ ଡୋଜ୍ ଟିକାର ପ୍ରମାଣପତ୍ର ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ସେମାନେ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିପାରିବେ।

Comment