ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ୍ ହେବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟ ସମାନ ଦାବି ରହିଛି, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ। ଏନେଇ ଗୁରୁବାର ବିଭିନ୍ନ କଲେଜର ଯୁକ୍ତ ୨ ଛାତ୍ରଛାତ୍ରୀ ଲୋୟର ପିଏମ୍‌ଜି ଠାରେ ଆନ୍ଦୋଳନ କରିଛନ୍ତି।

ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାପରେ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥିଗିତ ରଖିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାଟ୍ରିକ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ୍ ଦାବିରେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ।

କେବଳ ମାଟ୍ରିକ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ଅନ୍ୟପକ୍ଷରେ ଯୁକ୍ତ ୨ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି, “ ରାଜ୍ୟରେ ମାଟ୍ରିକ ପରୀକ୍ଷା ବନ୍ଦ ହେଉବୋଲି ସରକାର ଚାହୁଁନଥିଲେ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ସରିଥିଲା। କିନ୍ତୁ କରୋନା ସ୍ଥିତି ଏପରି ହେଲାଯେ, ଆମେ ପରୀକ୍ଷା ବନ୍ଦ କରିବାକୁ ବାଧ୍ୟ ହେଲୁ। ଯୁକ୍ତ ୨ ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢ଼ାରେ ମନନିବେଶ କରନ୍ତୁ । କରୋନା ସ୍ଥତିରେ ସୁଧାର ଆସିଲେ, ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ।”

Comment