ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ।

ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟା ବେଳେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା। ପ୍ରଥମ ଦିନ ରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲରେ ବସିବାପରେ ସେମାନଙ୍କୁ ୭ଟା ୪୫ ସମୟରେ ପ୍ରଶ୍ନପତ୍ର ଦିଆଯାଇଥିଲା। ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

କପି ଧରିବାକୁ ସ୍ଵତନ୍ତ୍ର ସ୍କ୍ଵର୍ଡ ଗଠନ କରାଯାଇଛି। ଏହି ସ୍କ୍ଵାର୍ଡ ବିନା ସୂଚନାରେ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପ୍ରଥମ ଦିନରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ଵରର ସୟଦ ମମତାଜ ଅଲି ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ।

“ମାଟ୍ରିକ ପରୀକ୍ଷା ପାଇଁ ଏ ବର୍ଷ ପରୀକ୍ଷା କେନ୍ଦ୍ରରେ ଖୁବ୍ ଭଲ ବ୍ୟବସ୍ଥା ହୋଇଛି। ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ଠିକ ସମୟରେ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନପତ୍ର ପାଟର୍ନ ପୂର୍ବରୁ ଜାଣିଛନ୍ତି। ତେଣୁ ଡରିବାର ଆଵଶ୍ୟକତା ନାହିଁ। ପରୀକ୍ଷାରେ ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି ମୋର ବିଶ୍ଵାସ”, କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଶୁକ୍ରବାର ଓଡ଼ିଶାରେ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟର ଦ୍ଵିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ–୨) ପରୀକ୍ଷା ଆରମ୍ଭ ହେଇଛି। ଏହି ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସବୁ ପରୀକ୍ଷା ପରିଚାଳନା କରାଯାଉଛି।

Tags: #MatricExam2023 #SameerRanjanDash #Education #Examination #Odisha

Comment