ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। କପି ରୋକିବାକୁ ଗଠନ ହେବ ସ୍ଵତନ୍ତ୍ର ସ୍କାର୍ଡ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ୩,୦୨୭ଟି କେନ୍ଦ୍ରରେ ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ସମୟରେ କପି ରୋକିବାକୁ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରାଯିବ। ଏହି ସ୍କାର୍ଡ ଅଚାନକ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିବେ। ଏ ସମ୍ପର୍କରେ ପୂର୍ବରୁ କୌଣସି କେନ୍ଦ୍ରକୁ ସୂଚନା ଦିଆଯିବ ନାହିଁ। ଏ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ହବରେ ପହଞ୍ଚି ସାରିଛି। ହବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନେବା ଲାଗି ସ୍ଵତନ୍ତ୍ର ଲୋକଙ୍କୁ ଦାୟିତ୍ଵ ଦିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯିବା ସହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Tags: #Education #Examination #MatricExam #SameerRanjanDash #Odisha

Comment