ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିଲ୍ଲୀରେ ପୁଣି ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ସିଭିଲ ଡିଫେନ୍ସ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ଭାବେ କାମ କରୁଥିବା କେନ୍ଦ୍ରାପଡ଼ାର ଅନନ୍ତ ତ୍ରିପାଠୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭିର୍ତ୍ତି ହୋଇଥିଲେ। ଚିକିତ୍ସା ଅଭାବରୁ ଡାକ୍ତରଖାନା ବାରଣ୍ଡାରେ ସେ ଆଖି ବୁଜି ଦେଇଛନ୍ତି।  ଏହି ଘଟଣା ସାରା କେନ୍ଦ୍ରାପଡା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବାଲିପଡା ଗାଁର ୪୭ ବର୍ଷୀୟ ଅନନ୍ତ ତ୍ରିପାଠୀଙ୍କୁ ଗତ ସୋମବାରରୁ ଜ୍ୱର ହେଉଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ ତାଙ୍କ ପରିବାର ଲୋକ। ହେଲେ କେଉଁଠି ବି ତାଙ୍କୁ ବେଡ୍‌ ମିଳିନଥିଲା।

କୌଣସି ପ୍ରକାରରେ ସମ୍ପର୍କୀୟମାନେ ପହଞ୍ଚି ଶେଷରେ ଦିଲ୍ଲୀର ବାତ୍ରା ମେଡିକାଲକୁ ତାଙ୍କୁ ନେଇଥିଲେ। ବାତ୍ରା ହସ୍ପିଟାଲର ବାରଣ୍ଡାରେ ପହଞ୍ଚି ଚିକିତ୍ସା ପାଇଁ ଅପେକ୍ଷା କରିଥିବା ବେଳେ ତାଙ୍କର ଜୀବନ ସେଠାରେ ଚାଲିଯାଇଥିଲା।

ତାଙ୍କ ମରଶରୀର ନିକଟରେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ୧୭ ବର୍ଷର ଝିଅ ଉପସ୍ଥିତ ଥିଲେ। ଅନନ୍ତଙ୍କ ମୃତ୍ୟୁ ଖବର ପାଇ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯିବା ପାଇଁ ୪୭ ହଜାର ଟଙ୍କା ଦେବାକୁ ପଡ଼ିଲା ବୋଲି ତାଙ୍କ ଭାଇ କହିଛନ୍ତି ।

Comment