ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ଉପନିର୍ବାଚନରେ କଂଗ୍ରେସ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେବ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ଏ କଥା କହିଛନ୍ତି।

‘‘ବିଶ୍ୱକେଶନ ଠିକ ପ୍ରାର୍ଥୀ ଯାହାଙ୍କୁ ଦଳ ବାଚିଛି। ଆମେ ମଙ୍ଗରାଜ ପରିବାର ଭିତରୁ କେହି ଜଣେ ପ୍ରାର୍ଥୀ ହେବା ଚାହୁଁଥିଲୁ। କିନ୍ତୁ କେହି ଆଗ୍ରହ ପ୍ରକାଶ ନକରିବା କାରଣରୁ ଆମେ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରିଛୁ। ଏବେ ଘର ଘର ବୁଲି ଆମେ ପ୍ରଚାର କରିବୁ ଓ କଡ଼ା ଟକ୍କର ଦେବୁ’’ କହିଛନ୍ତି ସୁର ରାଉତରାୟ।

ଏପ୍ରଲି ୧୭ରେ ପିପିଲି ଭୋଟ ହେବାର ଥିଲା। ହେଲେ ଭୋଟ ଗ୍ରହଣର ମାତ୍ର କେଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇ ଯାଇଥିଲା। ଏହାପରେ ଦଳ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମେ’ ୧୬ରେ ଉପନିର୍ବାଚନ ହେବାକୁଯାଉଛି। ବିଶ୍ୱକେଶନ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିସାରିଲେଣି।

ବିଶ୍ୱକେଶନ ପେସାରେ ଜଣେ ଓକିଲ ଏବଂ ବହୁ ଦିନରୁ ସେ କଂଗ୍ରେସ ଦଳ ସହ ଜଡ଼ିତ ଅଛନ୍ତି।

ଏଣେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପିପିଲିରେ କଂଗ୍ରେସର କୌଣସି ଭିତ୍ତି ନାହିଁ ଓ ଉପନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ସିଧା ସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ।

୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସ୍ୱର୍ଗତ ମଙ୍ଗରାଜ ତୃତୀୟ ସ୍ଥାନରେ ରହିଥିଲେ ସେ ୯୮୩୦ ଭୋଟ ପାଇଥିଲେ। ଶତକଡା ହିସାବରେ ଏହା ୫.୬୩ ପ୍ରତିଶତ।

Comment