ଓଡ଼ିଶାଲାଇଭ୍ ବ୍ୟୁରୋ

ଓଟିଭିରେ କାର୍ଯ୍ୟରତ କର୍ମଚାରୀ ଯଦି କରୋନା ସଂକ୍ରମିତ ହୋଇ ଆଖି ବୁଜନ୍ତି, ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଓଟିଭି ତରଫରୁ ଏକକାଳୀନ ୧୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ଏଥିସହ ମୃତ ବ୍ୟକ୍ତିଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ଏବଂ ତାଙ୍କ ପିଲାମାନଙ୍କ ଭିତରୁ ଜଣଙ୍କୁ ଯୋଗ୍ୟତା ଅନୁସାରେ ଉକ୍ତ କମ୍ପାନିରେ ଚାକିରି ଦିଆଯିବ। ସେହିପରି ସେମାନଙ୍କ ପରିବାର ସଦସ୍ୟଙ୍କୁ ୫ବର୍ଷ ପାଇଁ ସ୍ୱାସ୍ଥ୍ୟଗତ ବୀମା ସୁବିଧା ଦେବାକୁ ଓଟିଭିର ମୁଖ୍ୟ ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ ଓଡ଼ିଶାଲାଇଭ୍ ଟିମ୍ ଜାଣିବାକୁ ଚାହିଁଥିଲା। ଓଟିଭି କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାପରେ ଏହା ସ୍ପଷ୍ଟ ହୋଇଛି।ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଅନେକ ସଂଖ୍ୟକ ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଅନେକ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇ ଖାଦ୍ୟପେୟ ଠିକ୍ ସମୟରେ କରିନଥାନ୍ତି। ତେଣୁ ଏଭଳି ପରିସ୍ଥିତିରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି ଓଟିଭି।

କେବଳ ନିଜର କର୍ମଚାରୀଙ୍କ ପାଇଁ ନୁହେଁ, ରାଜ୍ୟର କୋଭିଡ ଆକ୍ରାନ୍ତଙ୍କୁ ମଧ୍ୟ ଦେୟମୁକ୍ତ ଆହାର ଯୋଗାଉଛି ଓଟିଭି। ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମ ପକ୍ଷରୁ ଏକ ନୂତନ ପ୍ରାୟାସ ଆରମ୍ଭ କରାଯାଇଛି। ଗୋଟିଏ ଫୋନ କଲ୍‌ରେ ଭୁବନେଶ୍ୱର ଓ କଟକ ଜିଲ୍ଲାରେ ଥିବା କୋଭିଡ୍ ରୋଗୀଙ୍କ ଘରକୁ ଯାଇ ଦେୟମୁକ୍ତ ଆହାର ଯୋଗାଇ ଦିଆଯାଉଛି। ଏବେ ଏହି ସେବା ରାଜ୍ୟର ଅନ୍ୟାନ୍ୟ ୫ଟି ସ୍ଥାନ ବ୍ରହ୍ମପୁର, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ରାଉରକେଲାରେ କାର୍ଯ୍ୟ କରିବ ବୋଲି ଓଟିଭିର ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି।

Comment