ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୩ଜଣ ଚିହ୍ନଟ ହୋଇଥିବାବେଳେ, ୧୩୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୪୯୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ନୂଆପଡ଼ା ଜିଲ୍ଲାରୁ ଆଜି ୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ୯୫୨ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୪୩ହଜାର ୫୨୨ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୬୪ହଜାର ୫୯୪ରେ ପହଞ୍ଚିଛି। ୧୯୦୭୭ଟି ସକ୍ରିୟ ମାମାଲା ରହିଛି।

ଅନ୍ୟପଟେ ଆଜି ରାଜ୍ୟରେ କରୋନାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ୪ଜଣ ମୃତକ ପଶ୍ଚିମଓଡ଼ିଶାର ବୋଲି ଜଣାପଡ଼ିଛି। ବଲାଙ୍ଗିର ଜିଲ୍ଲାର ୬୨ବର୍ଷ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ। ଝାରସୁଗୁଡ଼ା ଜିଲ୍ଲାର ଜଣେ ୫୦ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ଏକାଧିକ ରୋଗରେ ପୀଡ଼ିତ ଥିଲେ। କଳାହାଣ୍ଡି ଜିଲ୍ଲାର ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ ପୂର୍ବରୁ ଉକ୍ତରକ୍ତ ଚାପରେ ପୀଡ଼ିତ ଥିଲେ। ସେହିପରି ସମ୍ବଲପୁର ଜିଲ୍ଲାର ଜଣେ ୩୮ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ପୂର୍ବରୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ।

ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ମିଳିଛି।

କରୋନାକୁ ନିୟନ୍ତ୍ରଣରେ ରଖିବାପାଇଁ ରାଜ୍ୟରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା। ଆଜିଠାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସବୁଠି ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ସାଙ୍ଗରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଇ ଆସିବାକୁ ବାଧ୍ୟତାମୂଳକ କରାଯାଇଛି।

Comment