ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଲକ୍‌ଡାଉନ ଓ ସଟ୍‌ଡାଉନ୍ ସତ୍ତ୍ୱେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୧ ହଜାର ୮୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୬୧୩ ଜଣ ହୋଇଥିବାବେଳେ, ୫୧୯୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ସେଠାରୁ ୧୫୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୦୫୨, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଅନୁଗୁଳରୁ ୫୬୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୪ହଜାର ୨୦୭ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮୪୦୧ ଜଣଙ୍କୁ ମିଶାଇ ସମୁଦାୟ ୪ଲକ୍ଷ ୩୧ହଜାର ୬୫୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୯୦ହଜାର ୩୩୫ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୨୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୨ଜଣ, ଭଦ୍ରକରୁ ଦୁଇ ଜଣ, କଟକରୁ ଦୁଇଜଣ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେଉଁଝର, କେନ୍ଦ୍ରାପଡ଼ାରୁ, ଖୋର୍ଦ୍ଧାରୁ ଜଣେ ଲେଖାଏଁ, କଳାହାଣ୍ଡିରୁ ସର୍ବାଧିକ ୪ଜଣ, ନୂଆପଡ଼ା, ପୁରୀରୁ ଜଣେ ଲେଖାଏଁ, ସୁନ୍ଦରଗଡ଼ରୁ ଦୁଇଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬୧ ରେ ପହଞ୍ଚିଛି।

Comment