ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। କରୋନାରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଦେବେ। ଏହାସହିତ ଯଦି କୌଣସି ପିଲା କରୋନାରେ ବାପା, ମା’ଙ୍କୁ ହରାଇ ବେସାହାରା ହୋଇଯାଆନ୍ତି ତେବେ ସରକାର ସେମାନଙ୍କୁ ମାଗଣା ଶିକ୍ଷା ଦେବା ସହିତ ୨୫ ହଜାର ଟଙ୍କା ପେନସନ ଦେବେ ବୋଲି କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।

ସେହିପରି ଅରବିନ୍ଦ କେଜ୍ରିୱାଲ ଚଳିତ ମାସରେ ରାସନ କାର୍ଡଧାରୀଙ୍କୁ ୧୦ କିଲୋଗ୍ରାମ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି। ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ମିଳିବ।

ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି, ସେଥିମଧ୍ୟରୁ ୧୩,୨୯,୮୯୯ ଲୋକ ଆରୋଗ୍ୟ ହୋଇଛନ୍ତି। ସେହିପରି ୨୨,୧୧୧ ରୋଗୀଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏହି ଦିଲ୍ଲୀକୁ ଲକଡାଉନ୍‌ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ କମୁଛି।

Comment