ଓଡ଼ିଶାଲାଇଭ୍ ବ୍ୟୁରୋ

ମହାମାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନହେବା ପାଇଁ ଏହି ‘ବାୟୋ ବବଲ୍’ର ବ୍ୟବହାର କରାଯାଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଷୟ ତୃତୀୟା ଦିନ ନୀତିକାନ୍ତି ଅନୁସାରେ ରଥ କାଠ ଅନୁକୂଳ ହୋଇଛି। ଆସନ୍ତା ଜୁଲାଇ ୧୨ତାରିଖରେ ରଥଯାତ୍ରା। ତେଣୁ ରଥଖଳାରେ ଚାଲିଛି ତିନି ରଥର ପ୍ରସ୍ତୁତି । କିନ୍ତୁ ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗୁରୁବାର ୮ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବାପରେ, ରଥଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି।ଅନ୍ୟପଟେ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ‘ବାୟୋ ବବଲ୍‌’ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ମୁଖ୍ୟ ପ୍ରଶାସକ କହିଥିଲେ ରଥ ନିର୍ମାଣ ପାଇଁ ‘ବାୟୋ ବବଲ୍‌’ ବ୍ୟବସ୍ଥା କରାଯିବ।

ବାୟୋ ବବଲ୍ କ’ଣ?

ବାୟୋ ବବଲ୍ ହେଉଛି ଏକ ସୁରକ୍ଷା ବଳୟ। ଏହାକୁ ଜୈବ ସୁରକ୍ଷା ବଳୟ ମଧ୍ୟ କୁହାଯାଇଥାଏ। ଏହି ବଳୟ ନିରାପଦ ଓ ସୁରକ୍ଷିତ ମଧ୍ୟ। କରୋନା ଭୂତାଣୁ ଏହି ବଳୟ ଭିତରକୁ ପ୍ରବେଶ କରିପାରିବ ନାହିଁ। କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନହେବା ପାଇଁ ଏହି ବଳୟ ସୃଷ୍ଟି କରାଯାଇଥାଏ। ନିର୍ଦ୍ଧିଷ୍ଟ ଲୋକ ଓ ସ୍ଥାନକୁ ଆବଦ୍ଧ କରି ଏହି ବଳୟ ପ୍ରସ୍ତୁତ ହୋଇଥାଏ। ଏହି ବଳୟ ଭିତରେ ଭିନ୍ନ ଭିନ୍ନ ଜୋନ୍ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୋନ୍‌ରେ ରହିବେ । ଜଣେ ଅନ୍ୟ ଜଣଙ୍କ ଜୋନ୍‌କୁ ଯିବାକୁ ଅନୁମତି ନଥାଏ। ଏହା ଭିତରକୁ ଯିଏ ଥରେ ପ୍ରବେଶ କରିଥାଏ, କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ସେ ବହାରକୁ ଆସିବନାହିଁ।କାହିଁକି ଓ କେଉଁ କ୍ଷେତ୍ରରେ ଏହାର ବ୍ୟବହାର କରାଯାଇଥାଏ?

କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି। ସେବାୟତମାନେ କିଭଳି ରଥଯାତ୍ରା ପୂର୍ବରୁ ନିରାପଦ ଓ ସୁରକ୍ଷିତ ଭାବରେ ରଥ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ କରିବେ ସେଥିପାଇଁ ଏହି ବଳୟର ବ୍ୟବହାର କରାଯିବ। ନିକଟରେ ଖେଳା ଯାଇଥିବା ଆଇପିଏଲରେ ଏହି ବଳୟର ବ୍ୟବହାର ମଧ୍ୟ କରାଯାଇଥିଲା। ବର୍ତ୍ତମାନ କୋଭିଡ୍ ପରିସ୍ଥିତିରେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ‘ବାୟୋ ବବଲ୍‌’ ସୃଷ୍ଟି କରାଯାଉଛି।

ବାୟୋ ବବଲ୍ ଭିତରକୁ ଯିବା ପୂର୍ବରୁ କେଉଁ ନିୟମ ମାନିବେ?

ଯେଉଁମାନେ ଏହି ବଳୟ ଭିତରକୁ ଯିବେ, ସେମାନଙ୍କ ପାଇଁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବେ। ପରିବାର ଲୋକ କିମ୍ବା ଅନ୍ୟ କାହା ସଂସ୍ପର୍ଶରେ ଆସିବେନାହିଁ। ଏହି ବଳୟ ଭିତରେ ପ୍ରବେଶ କରିବା ପୂର୍ବରୁ ସଙ୍ଗରୋଧରେ ରହିବାକୁ ପଡ଼ିବ। ଏଥିସହ ସେମାନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ହେବା ଆବଶ୍ୟକ। ଥରେ ଏହି ବଳୟ ଭିତରେ ପ୍ରବେଶ କଲେ, ତାହା ମଧ୍ୟରେ ରହିବାକୁ ପଡ଼ିବ। ଯଦି ବାହାରକୁ ଆସନ୍ତି, ତେବେ ପୁନର୍ବାର ସଙ୍ଗରୋଧରେ ରହିବା ସହ ଉକ୍ତ ବ୍ୟକ୍ତିଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ।ଭୟାନକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନହେବା ପାଇଁ ଏହି ବଳୟକୁ ବେଶି ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ରଥ ନିର୍ମାଣ କ୍ଷେତ୍ରରେ ଏହି ବଳୟର ବ୍ୟବହାର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନେ ହିଁ ଏହି ବଳୟ ଭିତରକୁ ପ୍ରବେଶ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment