ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଘଣ୍ଟା ପ୍ରତି ୧୬କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି। ବାତ୍ୟା ସ୍ଥଳଭାଗ ଆଡ଼କୁ ଯେତିକି ନିକଟତର ହେବ, ପବନର ବେଗ ସେତିକି ବଢ଼ିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।

ମଙ୍ଗଳବାର ରାତି ୧୨ଟାରୁ ବୁଧବାର ମଧ୍ୟାହ୍ଣ ୧୨ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ବାତ୍ୟା ପାଇଁ ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସମୟରେ କେବଳ ଜରୁରୀ ସେବା ପ୍ରଦାନକାରୀ ଗାଡ଼ିକୁ ଯିବାଆସିବା କରିବାକୁ ଅନୁମତି ଦିଆଯାଇଛି। ବାତ୍ୟା ସମୟରେ ଦୁର୍ଘଟଣାକୁ ନଜରରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦିନ ୩ଟା ସୁଦ୍ଧା ପାରାଦୀପଠାରୁ ୨୨୦କିମି ଦୂରରେ ଓ ବାଲେଶ୍ୱରଠାରୁ ୩୩୦କିମି ଦୂରରେ ରହିଥିଲା ବାତ୍ୟା ୟାସ୍ । ୟାସ୍ ପାଇଁ ଅପରାହ୍‌ଣ ୪ଟା ସୁଦ୍ଧା ୧୦ଜିଲ୍ଲାରେ ୨ଲକ୍ଷ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖିଥିବା କହିଥିଲେ ଏସ୍‌ଆରସି ।

Comment