ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରକୁ ୨ଟି ପ୍ରସ୍ତାବ ଦେଲା ଓଡ଼ିଶା

ବାତ୍ୟା ୟାସ୍ ଦ୍ଵାରା ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଭରଣା କରିବେ ରାଜ୍ୟ ସରକାର। ଏଥିପାଇଁ ଏବେ କେନ୍ଦ୍ରଠାରୁ କୌଣସି ଆର୍ଥିକ ସହାୟତା ଲୋଡୁ ନାହାନ୍ତି ରାଜ୍ୟ ସରକାର। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା କ୍ଷୟକ୍ଷତିକୁ ନେଇ କରିଥିବା ସମୀକ୍ଷା ବୈଠକରେ ଏହି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ମହାମାରୀର ଏହି ସ୍ଥିତିରେ କେନ୍ଦ୍ରକୁ ହଠାତ୍ ଆର୍ଥିକ ସହାୟତା ମାଗି ତାଙ୍କ ଉପରେ ଆହୁରି ବୋଝ ଲଦିବାକୁ ଆମେ ଚାହୁଁ ନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଓଡ଼ିଶା ନିଜ ସମ୍ଵଳରେ ବାତ୍ୟା କ୍ଷୟକ୍ଷତିର ଭରଣା କରିବା ବୋଲି ସେ କହିଛନ୍ତି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ଵରରେ ପହଞ୍ଚି ବାତ୍ୟା ୟାସ୍ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ବାତ୍ୟା ୟାସ୍ ଦ୍ଵାରା ହୋଇଥିବା କ୍ଷୟକ୍ଷତିକୁ ନେଇ ଏକ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ଯେପରିକି ସ୍ଵତନ୍ତ୍ର ବିଜୁଳି ବ୍ୟବସ୍ଥା ଏବଂ ବାତ୍ୟା ପ୍ରବଣ ଉପକୂଳଗୁଡ଼ିକରେ ଉଚ୍ଚ ଜୁଆରର ମୁକାବିଲା ପାଇଁ ସ୍ଵତନ୍ତ୍ର ବନ୍ଧ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ଏବେ ବାତ୍ୟା କ୍ଷୟକ୍ଷତିର ଆକଳନ ଚାଲିଛି। ବାତ୍ୟା ଦ୍ଵାରା ରାଜ୍ୟରେ କେତେ କ୍ଷୟକ୍ଷତି ହୋଇଛି ୭ ଦିନ ପରେ ତାହାର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଆମେ ଦେବୁ।ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକୁ ବୁଲି ଦେଖିଛନ୍ତି। ଏହା ପରେ ସେ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସେଠାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ।

Comment