ଓଡ଼ିଶାଲାଇଭ୍ ବ୍ୟୁରୋ
କିଛିଦିନ ହେବ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ଟିକିଏ ଆଶ୍ୱସ୍ଥି ମିଳିଛି। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବାବେଳେ, ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟରୁ ୧୧ହଜାର ୫୧୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୪ ଜଣ ରହିଥିବାବେଳେ, କଟକରୁ ୧୦୫୨, ଯାଜପୁରରୁ ୭୯୧, ସୁନ୍ଦରଗଡ଼ରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜରୁ ୫୩୪, ବାଲେଶ୍ୱରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡ଼ାରୁ ୪୨୧, ବରଗଡ଼ରୁ ୩୮୪, ନୟାଗଡ଼ରୁ ୩୪୬ଜଣ ରହିଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୬ଲକ୍ଷ ୫୮ହଜାର ୬୪୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଅନ୍ୟପଟେ ଏବେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ, ମୃତ୍ୟୁ ସଂଖ୍ୟା ବଢ଼ିଛି। ପ୍ରତିଦିନ ୩୦ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ନେଉଛି କରୋନା। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୭ହଜାର ୧୮୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।













