ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ସରକାରୀ ତଥ୍ୟ ଅନୁସାରେ ସଂକ୍ରମଣ ହାର କମିଲେ ବି ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗୁନାହିଁ। ମେ’ ମାସ ଶେଷ ସପ୍ତାହରୁ ରାଜ୍ୟରେ ପ୍ରତିଦିନ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ହଠାତ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ କହିଛନ୍ତି, “ବିଗତ ଦିନର ବଢ଼ିଥିବା ପଜିଟିଭ୍‌ ସଂଖ୍ୟା ଯୋଗୁଁ ବର୍ତ୍ତମାନ ମୃତ୍ୟୁ ହାର ବଢ଼ୁଛି। ପୂର୍ବରୁ ହସ୍ପିଟାଲମାନଙ୍କରେ ଚିକିତ୍ସା ହେଉଥିବା ଗୁରୁତର କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି।”ସେ ଆଉ ମଧ୍ୟ କହିଛନ୍ତି, “ଏବେଠାରୁ କରୋନାର ତୃତୀୟ ଲହର ସମ୍ପର୍କରେ କିଛି କହି ହେବନାହିଁ। ଏମିତି ଅନେକ ମହାମାରୀରେ ତୃତୀୟ ଲହର ଆସିଛି। କିନ୍ତୁ ଏହା କେବେ ଆସିବ ଏବଂ ତାହାର ପ୍ରଭାବ କ’ଣ ରହିବ କହିବା ଅସମ୍ଭବ। ଆମେ ଆଶା କରିବା ତୃତୀୟ ଲହର ନଆସୁ। ଯଦି ଆସୁଛି, ତାହାକୁ ନେଇ ସରକାର ଆଗୁଆ ପ୍ରସ୍ତୁତ ଅଛନ୍ତି। ପ୍ରଥମ ଥର ମୁକାବିଲା କରିବା ସମୟରେ ସରକାରଙ୍କ ପାଖରେ କୌଣସି ଅନୁଭୂତି ନଥିଲା। ତଥାପି ଆମେ ସଫଳତାର ସହ ମୁକାବିଲା କରିଛନ୍ତି। ସେହିଭଳି ତୃତୀୟ ଲହରକୁ ମଧ୍ୟ ସଫଳତାର ସହ ହରାଇ ପାରିବା।”କରୋନାକୁ ମାତ୍‌ ଦେବା ପାଇଁ ଓଡ଼ିଶାରେ ଉତ୍ତମମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଏଥିସହ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ରହିଛି। ଔଷଧ କ୍ଷେତ୍ରରେ ଏପର୍ଯ୍ୟନ୍ତ କୌଣସି ଅସୁବିଧା ଦେଖିବାକୁ ମିଳିନାହିଁ କହିଛନ୍ତି ଡିଏମଇଟି।

ଅନ୍ୟପଟେ ରାଜ୍ୟରେ ଏବେ ଦୈନିକ ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୪୨ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସେହିପରି ଜୁନ୍‌ ୨ରେ ୪୦ଜଣ, ଜୁନ ୧ରେ ୩୫ଜଣ ଏବଂ ମେ’୩୧ତାରିଖରେ ୩୩ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।

Comment