ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ହାରକୁ ଦେଖି ପର୍ଯ୍ୟାୟକ୍ରମେ ଲାଗୁ ହେବାକୁ ଯାଉଛି ‘ଅନଲକ୍‌’ ପ୍ରକ୍ରିୟା। ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ମଙ୍ଗଳବାର ରାଜ୍ୟର କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା କାଳରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ଉପସ୍ଥିତ ଥିଲେ। ୫-ଟି ମୁଖ୍ୟ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର, ପୋଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନେ ଯୋଗ ଦେଇଥିଲେ।ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, “କୋଭିଡ୍‌ ସଂକ୍ରମଣରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ୱିତୀୟ ଲହର ପ୍ରଭାବରୁ ଆମେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହାଁନ୍ତି। ତା’ସହିତ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ସେହିପରି ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି। ରାଜ୍ୟରେ ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି।”

ସେ ଆଉ ମଧ୍ୟ କହିଛନ୍ତି, “ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଏଥିସହ ଏବେ ଦୈନିକ ଟିକାକରଣ ଦେଢ଼ ଲକ୍ଷ ରହିଥିବାବେଳେ, ଏହାକୁ ୩ଲକ୍ଷକୁ ବୃଦ୍ଧି କରାଯିବ।”ଅନ୍ୟପକ୍ଷରେ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର କମିବାରେ ଲାଗିଛି। ପୂର୍ବରୁ ଦୈନିକ ୧୦ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏବେ ଏହି ସଂଖ୍ୟା ୬ହଜାରକୁ ଖସିଛି। ଆଜି ରାଜ୍ୟରୁ ୬ହଜାର ୦୧୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comment